ବ୍ରାଉନସୁଗାର ବ୍ୟବସାୟ ବନ୍ଦ ପାଇଁ ଦାବି: ରାତିରେ ଆଦର୍ଶ ଥାନା ଘେରିଲେ ମହିଳା

ଖୋର୍ଦ୍ଧା ଅଫିସ, ୧୮ା୭: ବ୍ରାଉନସୁଗାର କାରବାର ବନ୍ଦ ଓ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଯୋଗାଇବା ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନାକୁ ସହରର ୬ ନଂ. ୱାର୍ଡ ସ୍ବପ୍ନେଶ୍ୱରସାହିର ମହିଳାମାନେ ବୁଧବାର ସନ୍ଧ୍ୟାରେ ଘେରାଉ କରିଥିଲେ। ବ୍ରାଉନସୁଗାର କାରବାର ବନ୍ଦ ନ ହେବାରୁ ବଞ୍ଚତ୍ବା ଦୁର୍ବିଷହ ହୋଇ ପଡିଲାଣି ବୋଲି ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କେତେଜଣ ସେବନକାରୀ ବ୍ରାଉନସୁଗାର କିଣିବାକୁ ସ୍ବପ୍ନେଶ୍ୱରସାହିର ବିଭିନ୍ନ ଲୋକଙ୍କ ଘରର କବାଟ ଦିନର ବିଭିନ୍ନ ସମୟରେ ପିଟୁଛନ୍ତି। ବ୍ରାଉନସୁଗାର ବିକ୍ରି କରା ନ ଯିବା ଶୁଣିବା ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। କିଛି କଥା କହିଲେ ବୋମା ପକାଇଦେବୁ, ଗୁଳି କରିଦେବୁ, ଘରେ ନିଅଁା ଲଗାଇ ଦେବୁ, ହତ୍ୟା କରି ଫୋପାଡି ଦେବେ ବୋଲି ଧମକ ଦେଉଛନ୍ତି। ବ୍ରାଉନସୁଗାର କାରବାର ବନ୍ଦ ନେଇ ପ୍ରତିବାଦ କଲେ ବ୍ୟବସାୟୀମାନେ ମଧ୍ୟ ଜୀବନରେ ମାରି ଦେବା ପରି ବିଭିନ୍ନ ପ୍ରକାରର ଧମକଚମକ ଦେଉଛନ୍ତି। ବ୍ରାଉନସୁଗାର ବ୍ୟବସାୟୀ ଓ ସେବନକାରୀଙ୍କ ଧମକରେ ମହିଳାମାନେ ଉତ୍ତେଜିତ ଓ ଅସନ୍ତୋଷ ବ୍ୟକ୍ତ କରି ବୁଧବାର ସନ୍ଧ୍ୟାରୁ ପ୍ରାୟ ୨ ଘଣ୍ଟା ଆଦର୍ଶ ଥାନା ଘେରିଥିଲେ। ଏ ନେଇ ସ୍ଥାନୀୟ ବାସିନ୍ଦା ପଦ୍ମ ଖଟୁଆଳ କୁହନ୍ତି, ଘରେ ଘରେ ବ୍ରାଉନସୁଗାର ବିକ୍ରି ହେଉଛି। ଆଗ ଅପେକ୍ଷା ଏବେ ବ୍ୟବସାୟ ବଢ଼ିଛି। ବିଭିନ୍ନ ଅଞ୍ଚଳର ଲୋକମାନେ ବ୍ରାଉନସୁଗାର କିଣିବାକୁ ଆସି ବିଭିନ୍ନ ଲୋକଙ୍କ ଘରେ ପଶି ଅଶ୍ଲୀଳ ଗାଲିଗୁଲଜ କରୁଛନ୍ତି। ଝିଅ ବୋହୂମାନେ ଏବେ ଭୟରେ କାଳ କାଟୁଛନ୍ତି। ରଜନୀ ବାରିକ କୁହନ୍ତି, ରାତି ଅଧରେ କବାଟ ପିଟୁଛନ୍ତି। କବାଟ ଖୋଲିଲେ ବ୍ରାଉନସୁଗାର ମାଗୁଛନ୍ତି, ନ ଦେଲେ ଗଣ୍ଡଗୋଳ, ମାରପିଟ୍‌ କରୁଛନ୍ତି। ମମତା ରାଓ କୁହନ୍ତି, ପୂର୍ବରୁ ମଦ, ଗଞ୍ଜେଇ ବିକ୍ରି ହେଉଥିଲା। ଏବେ ବ୍ରାଉନସୁଗାର ନିଦ ହଜାଇ ଦେଇଛି। ଏହି ନିଶା କବଳରେ ଛୋଟ ପିଲାମାନେ ପଡିଲେଣି। ବାପା ମା’ ମାନେ ପୁଅ ବ୍ରାଉନସୁଗାର ଖାଉଥିବାର ଜାଣି ପାରୁନାହାନ୍ତି। ଏହି ନିଶା ଏବେ ପରିବାର ଉଜାଡିଲାଣି। ଏହାକୁ ତୁରନ୍ତ ବନ୍ଦ କରିବା ଦରକାର। କମଳିନୀ ଖଟୁଆ କୁହନ୍ତି, ବ୍ରାଉନସୁଗାର କାରବାର ବନ୍ଦ ନ ହେଲେ ସାହିରେ ଆଉ ଶାନ୍ତି ଫେରିବନି। ଛୋଟ ଛୋଟ କଥାରେ ମାରପିଟ୍‌ ଗଣ୍ଡଗୋଳ ଘଟିବ। କେତେବେଳେ ଯେ କ’ଣ ଅଘଟଣ ଘଟିବ କହି ପାରିବେ ନାହିଁ। କାରଣ ବିଭିନ୍ନ ପ୍ରକାରର ଧମକ ଚମକ ଯୋଗୁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ରହିଛନ୍ତି।

Share