Categories: ଖେଳ

ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ

ମେଲବୋର୍ନ,୨୫।୧(ଏଏଫ୍‌ପି)- ପୂର୍ବତନ ଟପ୍‌ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍‌ ଫିକ୍ସିଂ ଓ ଅନ୍ୟ ଦୁର୍ନୀତି ପାଇଁ ଦୁଇ ଲକ୍ଷ ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏ ନେଇ ଟେନିସ ଇଣ୍ଟେଗ୍ରିଟି ୟୁନିଟ୍‌ (ଟିଆଇୟୁ) ପକ୍ଷରୁ ଶନିବାର କୁହାଯାଇଛି। ବ୍ରାଜିଲ, ମେକ୍ସିକୋ, ଚେକ୍‌ ଗଣତନ୍ତ୍ର ଓ ଆମେରିକାରେ ଅନୁଷ୍ଠିତ ଏଟିପି ଚ୍ୟାଲେଞ୍ଜର ଓ ଆଇଟିଏଫ୍‌ ଫ୍ୟୁଚର ଇଭେଣ୍ଟରେ ସୋଉଜା ମ୍ୟାଚ୍‌ ଫିକ୍ସିଂ କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ବ୍ରାଜିଲିଆନ ଖେଳାଳି ଏବେ ବିଶ୍ୱର ୭୪୨ତମ ର଼୍ୟାଙ୍କରେ ଅଛନ୍ତି। ସେ ୨୦୧୫ରେ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌ ୬୯ରେ ପହଞ୍ଚିଥିଲେ। ମ୍ୟାଚ୍‌ ଫିକ୍ସିଂ ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ (ଟିଆଇୟୁ)କୁ ଜଣାଇ ନ ଥିଲେ। ପ୍ରମାଣ ନଷ୍ଟ କରିବା ସହ ଅନ୍ୟ ଖେଳାଳିଙ୍କୁ ସାମର୍ଥ୍ୟ ଅନୁଯାୟୀ ନ ଖେଳିବାକୁ ପ୍ରବର୍ତ୍ତାଇ ଥିଲେ। ୩୧ ବର୍ଷିୟ ସୋଉଜାଙ୍କୁ ଗତ ମାର୍ଚ୍ଚରୁ ସାମୟିକ ବାସନ୍ଦ କରାଯାଇଛି। ଏହି ମାମଲାର ଶୁଣାଣି ଚଳିତ ମାସ ଲଣ୍ଡନଠାରେ କରାଯାଇଥିଲା। ବ୍ରାଜିଲିଆନ ଖେଳାଳି ଜୀବନରେ କଦାପି କୌଣସି ଟେନିସ ଇଭେଣ୍ଟରେ ଖେଳିପାରିବେ ନାହିଁ।

Share