ରିଓ ଡି ଜେନେରିଓ,୧।୬(ପି.ଟି.): ବ୍ରାଜିଲର ଏକ ଫୁଟବଲ୍ କ୍ଲବ ଭାସ୍କୋଡାଗାମାର ୧୬ ଜଣ ଖେଳାଳି କୋଭିଡ- ୧୯ ପଜିଟିଭ ବୋଲି ଜଣାପଡିଛି। ୨୫୦ ଜଣଙ୍କର ପରୀକ୍ଷା କରାଯିବା ପରେ ଖେଳାଳିମାନେ ପଜିଟିଭ ବୋଲି ଜଣାପଡିଛି ବୋଲି ରିଓ ଡି ଜାନେଇରୋର ଏହି କ୍ଲବ ତରଫରୁ କୁହାଯାଇଛି। ଏମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଛନ୍ତି। ବାକି ଖେଳାଳିମାନଙ୍କୁ ଗ୍ରୁପ୍ରୁ ଅଲଗା କରାଯାଇଛି। ଏବେ ଦଳର ସଦସ୍ୟମାନଙ୍କର ଚିକିତ୍ସା ସମ୍ପର୍କିତ ମୂଲ୍ୟାଙ୍କନ କରାଯିବ ବୋଲି କ୍ଲବ ତରଫରୁ କୁହାଯାଇଛି। ପୂର୍ବରୁ ଆଟଲେଟିକୋ ମିନେଇରୋ ଓ କ୍ରୁଜେଇରୋର ଜଣେ ଲେଖାଏ ଖେଳାଳି କରୋନା ପଜିଟିଭ୍ ବୋଲି ଜଣା ପଡିଥିଲା। ଇକୁଏଡର ମିଡ୍ଫିଲ୍ଡର ଜୁଆନ କାଜାରେସଙ୍କ କରୋନା ଭାଇରସ ଅଛି ବୋଲି ଆଟଲେଟିକୋ ତରଫରୁ କୁହାଯାଇଛି। ସେହିପରି କ୍ରୁଜେଇରୋ ଫରଓ୍ବାର୍ଡ ଭିନିସିଅସ୍ ପୋପୋ ମଧ୍ୟ ଏହି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ବ୍ରାଜିଲରେ କେବେ ଫୁଟବଲର ପ୍ରତ୍ୟାବର୍ତ୍ତନ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ।