ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଦେଲେ ନ୍ୟୁଜିଲାଣ୍ଡ ଖେଳାଳି

ମାଞ୍ଚେଷ୍ଟର,୨୩ା୬: ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ କଡ଼ା ସଂଘର୍ଷପୂର୍ଣ୍ଣ ମୁକାବିଲା ହୋଇଥିଲା। କାର୍ଲୋସ ବ୍ରାଥଓ୍ବେଟଙ୍କ ବିସ୍ଫୋରକ ଶତକୀୟ ଇନିଂସ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୫ ରନ୍‌ରେ ମ୍ୟାଚ୍‌ ହାରିଯାଇଥିଲା। ବ୍ରାଥଓ୍ବେଟଙ୍କ ଇନିଂସ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନଙ୍କ ସମେତ ଦଳୀୟ ଖେଳାଳିଙ୍କୁ ଚିନ୍ତାରେ ପକାଇ ଦେଇଥିଲ। ୪୯ତମ ଓଭରରେ ଜିମ୍ମି ନିଶାମଙ୍କ ଅନ୍ତିମ ବଲରେ ବ୍ରାଥଓ୍ବେଟ ଟ୍ରେଣ୍ଟ ବୋଲ୍ଟଙ୍କ ହାତରେ ଧରାପଡ଼ିଥିଲା। ଆଉଟ୍‌ ହେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପ୍ରତିପକ୍ଷ ଦଳର ଅଧିନାୟକ ଓ୍ବିଲିୟମସନ, ରସ ଟେଲର, ଜିମ୍ମି ନିଶାମ ଓ କ୍ୟାଚ୍‌ ଧରିଥିବା ବୋଲ୍ଟ ଉଲ୍ଲସିତ ଶେଷ ହେବା ପରେ ବ୍ରାଥଓ୍ବେଟଙ୍କୁ ସାନ୍ତ୍ୱନା ଜଣାଇଥିଲେ। ମୁଁ ଫ୍ରାଞ୍ଚାଇଜ କ୍ରିକେଟରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌ ଶେୟାର କରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଦଳରେ ସାମିଲ ଥିବା କିଛି ଖେଳାଳି ମୋ ବନ୍ଧୁ। କିନ୍ତୁ ଏହା ମ୍ୟାଚ୍‌ରେ ମାନେ ରଖେ ନହିଁ। ବୋଲ୍ଟଙ୍କ କ୍ୟାଚ୍‌ ଆମକୁ ହରାଇ ଦେଲା। ହେଲେ ସେମାନଙ୍କ ଖେଳୁଆଡ଼ ମନଭାବ ଓ ପ୍ରତିପକ୍ଷ ଖେଳାଳିଙ୍କ ପ୍ରତି ଥିବା ତାଙ୍କ ସମ୍ମାନ ପ୍ରଶଂସନୀୟ ବୋଲି ମ୍ୟାଚ୍‌ ପରେ ବ୍ରାଥଓ୍ବେଟ କହିଥିଲେ।

Share