ବ୍ରାହ୍ମଣୀ ନଦୀବନ୍ଧ : ବର୍ଷାରେ ଉଭୟ ପାର୍ଶ୍ୱରେରେନ୍‌ କର୍ଟ ସୃଷ୍ଟି

ବରୀ,୧୨।୮(ସ୍ବ.ପ୍ର.)- ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱ ବନ୍ଧରେ ଗତ ବୁଧବାର ଲଗାଣ ବର୍ଷାରେ ଶହେରୁ ଊର୍ଦ୍ଧ୍ୱ ରେନ୍‌ କର୍ଟ ସୃଷ୍ଟି ହୋଇଛି। ବର୍ଷା ଯୋର୍ଗୁ ଏବେ ନଦୀରେ ଜଳ ପତନ ସାମାନ୍ୟତମ ବୃଦ୍ଧି ପାଇଥିବାରୁ ବନ୍ୟା ସମୟରେ ରେନ୍‌କର୍ଟ ସ୍ଥାନରେ ଘାଇ ହେବାର ଆଶଙ୍କା ରହିଥିବା ଜଳ ସମ୍ପଦ ବିଭାଗ କହିଛି। ଘାଇ ମରାମତି ନେଇ ଶନିବାର ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିକଟରେ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀ ପତ୍ର ମାଧ୍ୟମରେ ଜଣାଇଥିବା କହିଛନ୍ତି। ଅପରପକ୍ଷେ ନଦୀବନ୍ଧ ଦୁର୍ବଳ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କାକୁ ନେଇ ଉଭୟ ପାର୍ଶ୍ୱରେଥିବା ଗ୍ରାମବାସୀଙ୍କ ମଧ୍ୟରେ ଭୟ ବାତାବରଣ ସୃଷ୍ଟି ହୋଇଛି। ୨୦୧୧ରୁ ୧୨ ପର୍ଯ୍ୟନ୍ତ ୮୪ କିମି ଘେରି ବନ୍ଧ ବନ୍ୟା ନିୟନ୍ତ୍ରଣ ଯୋଜନାରେ ନିର୍ମାଣଧୀନ ଚାଲିଥିଲା ବେଳେ ଜମି ଅଧିଗ୍ରହଣ ହୋଇପାରି ନ ଥିବାରୁ କେତେକ ସ୍ଥାନରେ ବନ୍ଧ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି। ଏହି ଯୋଜନାରେ ୬୨କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଏବେ ବ୍ୟବୟବରାଦ ୧୦୦ କୋଟି ଟଙ୍କାରେ ପହଞ୍ଚତ୍ ଥିବା ଜଣାପଡିଛି। ତଥାପି ବନ୍ଧ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରି ନାହଁି। ପୁନର୍ବାର ଏହି ବନ୍ଧବାଡ଼ର ସୁରକ୍ଷା ପାଇଁ ନାବାର୍ଡ଼ ପକ୍ଷରୁ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଅର୍ଥ ମଞ୍ଜୁର ହୋଇଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସହକାରୀ ଯନ୍ତ୍ରୀ ସୁବାସ ତ୍ରିପାଠୀଙ୍କୁ ପଚାରିବାରୁ ବୁଧବାର ଶହେ ମିମି ବର୍ଷା ହୋଇଥିବାରୁ ରେନ୍‌ କର୍ଟ ସୃଷ୍ଟି ହୋଇଛି। ଏହାକୁ ମରାମତି କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ପ୍ରକାଶ ଯେ, ଜାରକା ଜଳ ସମ୍ପଦ ଡିଭିଜନ୍‌ ଅଧୀନରେ ବରୀ ସବ୍‌ଡିଭିଜନ୍‌ ରହିଛି। ନଦୀ ବନ୍ଧର ସମ୍ପ୍ରସାରଣ, ପଥର ପ୍ୟାକିଂ ଓ ମରାମତି ବାବଦରେ ଠିକାଦାର ଜରିଆରେ କାମ କରାଯାଉଛି । ହେଲେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ବନ୍ଧ ବାଡ଼ ନିର୍ମାଣ କରାଯାଉଥିବାରୁ ବର୍ଷାରେ ରେନ୍‌ କର୍ଟ ସୃଷ୍ଟି ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।