ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ମୋଦିଙ୍କ ଉଦ୍‌ବୋଧନ:ଭାରତ ସବୁଠୁ ମୁକ୍ତ ଅର୍ଥନୀତି

ବ୍ରାସିଲିଆ,୧୫-୧୧(ପି.ଟି.):ଭାରତ ବିଶ୍ୱରେ ସବୁଠୁ ମୁକ୍ତ ଓ ନିବେଶ ଅନୁକୂଳ ଅର୍ଥନୀତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବ୍ରିକ୍ସ ବିଜ୍‌ନେସ୍‌ ଫୋରମ୍‌ରେ ଗୁରୁବାର ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ୫ ସଦସ୍ୟ ରାଷ୍ଟ୍ର ଆର୍ଥିକ ବିକାଶ ଦିଗରେ ଅଗ୍ରସର ହେଉଛନ୍ତି। ଭାରତରେ ପୁଞ୍ଜିନିବେଶର ଅସୀମ ସମ୍ଭାବନା ଓ ସୁଯୋଗ ରହିଥିବାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବ୍ୟବସାୟୀମାନେ ସେଠାରେ ପୁଞ୍ଜିବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଭାରତରେ ରାଜନୈତିକ ସ୍ଥିରତା ସାଙ୍ଗକୁ ଆଶାଜନକ ନୀତି ନିର୍ଦ୍ଧାରଣ ଏବଂ ବ୍ୟବସାୟ ଅନୁକୂଳ ସଂସ୍କାର ଯୋଗୁ ଏହା ସବୁଠୁ ମୁକ୍ତ ଅର୍ଥନୀତିରେ ପରିଣତ ହୋଇଛି। ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। କେବଳ ଭିତ୍ତିଭୂମି ସେକ୍ଟରରେ ୧.୫ ଟ୍ରିଲିୟନ ଡଲାର ନିବେଶର ସୁଯୋଗ ରହିଛି। ତେଣୁ ବ୍ରିକ୍ସ ରାଷ୍ଟ୍ରର ବ୍ୟବସାୟୀମାନଙ୍କୁ ଏହାର ସୁଯୋଗ ନେବା ଲାଗି ଆମନ୍ତ୍ରଣ କରୁଛି ବୋଲି ମୋଦି କହିଥିଲେ। ବିଶ୍ୱ ମାନ୍ଦାବସ୍ଥା ସତ୍ତ୍ୱେ ଆର୍ଥତ୍କ ଅଭିବୃଦ୍ଧିର ୫୦ ପ୍ରତିଶତ ବ୍ରିକ୍ସ ରାଷ୍ଟ୍ରଗୁଡିକର ଅବଦାନ। ଏହି ରାଷ୍ଟ୍ରଗୋଷ୍ଠୀ ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସହ ପ୍ରଯୁକ୍ତି ଓ ଅଭିନବ ପ୍ରୟାସ ବଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରିପାରିଛନ୍ତି। ବ୍ରିକ୍ସ ଗଠନ ହେବାର ୧୦ ବର୍ଷ ପରେ ଭବିଷ୍ୟତ ପାଇଁ ଏହା ଏକ ଭଲ ପ୍ଲାଟଫର୍ମରେ ପରିଣତ ହୋଇପାରିଥିବା ମୋଦି କହିଥିଲେ।
ଏକାଦଶ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Share