ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଝଟକା: ବିଳମ୍ବିତ ହେବ ବ୍ରେକ୍‌ଜିଟ

ଲଣ୍ଡନ,୨୦ା୧୦(ଏଏଫ୍‌ପି): ବ୍ରିଟେନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ପୁଣିଥରେ ଝଟକା ଲାଗିଛି। ବ୍ରେକ୍‌ଜିଟ ଚୁକ୍ତିନାମା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବ କରିବା ସପକ୍ଷରେ ଏମ୍‌ପିମାନେ ଭୋଟ ଦେଇଛନ୍ତି। ଅକ୍ଟୋବର ୩୧ରେ ବ୍ରିଟେନ ୟୁରୋପୀୟ ସଂଘ (ଇୟୁ)ରୁ ବାହାରିଯିବା ଲାଗି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲାବେଳେ ଚୁକ୍ତିନାମାକୁ ଅନୁଧ୍ୟାନ କରିବା ଲାଗି ସମୟ ଆବଶ୍ୟକ ବୋଲି ଏମ୍‌ପିମାନେ ଯୁକ୍ତି ବାଢ଼ିଥିଲେ। ଚୁକ୍ତିନାମାରେ ସଂଶୋଧନକୁ ଆଇନ ପ୍ରଣେତାମାନେ ସମର୍ଥନ କରିଥିଲେ। ଫଳରେ ବ୍ରେକ୍‌ଜିଟ ସମୟସୀମା ଆସନ୍ତାବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ବଢ଼ାଇବା ଲାଗି ଇୟୁକୁ ଅନୁରୋଧ କରିବାକୁ ପଡିବ। ଏମ୍‌ପିମାନେ ବିରୋଧରେ ଭୋଟଦେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଜନ୍‌ସନ ଅକ୍ଟୋବର ୩୧ରେ ବ୍ରେକ୍‌ଜିଟ ଚୂଡ଼ାନ୍ତ କରିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି। ବ୍ରେକ୍‌ଜିଟ ବିଳମ୍ବ ନେଇ ସେ ଇୟୁ ସହ ବୁଝାମଣା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ପୂର୍ବତନ କଞ୍ଜରଭେଟିଭ୍‌ ମନ୍ତ୍ରୀ ଓଲିଭର ଲେଟ୍‌ଓ୍ବିନ ଆଣିଥିବା ସଂଶୋଧନ ପ୍ରସ୍ତାବ ସପକ୍ଷରେ ୩୨୨ ସଦସ୍ୟଙ୍କ ମଧ୍ୟରୁ ୩୦୬ ଜଣ ଭୋଟ ଦେଇଥିଲେ।

Share