ବ୍ରିଟିଶ ସଂସଦ ଭବନରେ ଗୀତା ମହୋତ୍ସବ : ସୁଷମା ସ୍ବରାଜ ଭାଗ ନେବାକୁ ଚାହିଁଥିଲେ

ଲଣ୍ଡନ: ବ୍ରିଟିଶ ସଂସଦ ଭବନ ହାଉସ ଅଫ କମନ୍ସ ପରିସରରେ ତିନିଦିନ ବ୍ୟାପୀ ଗୀତା ମହୋତ୍ସବ ଆରମ୍ଭ କରାଯାଇଛି। ମରିସସ୍‌ ପରେ ଏହା ଦ୍ୱିତୀୟ ମହୋତ୍ସବ। କଞ୍ଜରଭେଟିଭ ପାର୍ଟିର ଉପାଧ୍ୟକ୍ଷ ତଥା ସାଂସଦ ପଲ୍‌ ଷ୍ଟୁଆର୍ଟ ସ୍କୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହା ଶଙ୍ଖନାଦରେ କରାଯାଇଛି। ସୁରକ୍ଷା କାରଣରୁ ଦ୍ୱୀପ ପ୍ରଜ୍ଜ୍ୱଳନ ହୋଇପାରିନାହିଁ। ମହୋତ୍ସବରେ ବ୍ରିଟିଶ ପାର୍ଲାମେଣ୍ଟର ବହୁ ସାଂସଦ ଓ ଲଣ୍ଡନର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବି ଯୋଗଦେଇଛନ୍ତି। ଗୀତା ମହୋତ୍ସବ ଆୟୋଜନ କରିବାରେ ଭାରତର ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଭୂମିକା ମଧ୍ୟ ରହିଛି। ଏହି ମହୋସତ୍ର ଆୟୋଜନ କରିବା ପାଇଁ କୁରୁକ୍ଷେତ୍ର ଡେଭଲପ୍‌ମେଣ୍ଟ ବୋର୍ଡ( କେଡିବି)ସଚିବ ମଦନ ମୋହନ ଛାବଡା ସୁଷମା ସ୍ବରାଜଙ୍କୁ ସାକ୍ଷାତ କରିଥିଲେ । ସୁଷମା ଲଣ୍ଡନରେ ଗୀତା ମହୋତ୍ସବ ପାଇଁ ଭାରତୀୟ ହାଇକମିଶନଙ୍କୁ ଏହା ସହ ଯୋଡିଥିଲେ ଓ ସେ ମଧ୍ୟ ଏଥିରେ ଭାଗ ନେବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତାହା ହୋଇପାରିଲା ନାହିଁ। ସାଂସଦ ପଲ୍‌ ଷ୍ଟୁଆର୍ଟ ସ୍କୋଲି ଓ ଏପିପିଜି ଅଧ୍ୟକ୍ଷ ତଥା ବ୍ରିଟିଶ ସାଂସଦ ବୀରେନ୍ଦ୍ର ଶର୍ମା ଏହା ଏକ ଏ୍ୟତିହାସିକ କ୍ଷଣ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରୁଷ, ଇସ୍ରାଏଲ, ବାଂଲାଦେଶ,ବାହାରିନ,ଇଟାଲୀ, କାନାଡ଼ା, ମରିସସ୍‌ , ସାଇପ୍ରସ୍‌ ଓ ନେପାଳର ରାଷ୍ଟ୍ରଦୂତ ଉପସ୍ଥିତି ରହିଥିଲେ। ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ସୁଷମା ସ୍ବରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

Share