ବ୍ରିଟେନ୍‌ ପାର୍ଲାମେଣ୍ଟରେ ପ୍ରସ୍ତାବ

ଲଣ୍ଡନ, ୨୫।୯: ବ୍ରିଟେନର ହାଉସ୍‌ ଅଫ୍‌ କମନ୍ସରେ କଶ୍ମୀରରେ ମାନବାଧିକାରକୁ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଅଣାଯାଇଛି। କଶ୍ମୀର ଉପରେ ସେଠାର ଅଲ୍‌ ପାର୍ଟି ପାର୍ଲାମେଣ୍ଟାରି ଗ୍ରୁପ୍‌ (ଏପିପିଜି) ଏହି ପ୍ରସ୍ତାବ ଆଣିଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଦେଶର ଅବିଚ୍ଛେଦ୍ୟ ଅଙ୍ଗ ସମ୍ପର୍କିତ କୌଣସି ପ୍ରସଙ୍ଗ ଯେକୌଣସି ଫୋରମ୍‌ରେ ଉଠାଯିବା ପୂର୍ବରୁ ଉପଯୁକ୍ତ ଯାଞ୍ଚ ଦ୍ୱାରା ଏହାକୁ ସିଦ୍ଧ କରାଯିବା ଆବଶ୍ୟକ ବୋଲି ଭାରତ କହିଛି। ବିଦେଶ, କମନ୍‌ଓ୍ବେଲ୍‌ଥ ଏବଂ ବିକାଶ କାର୍ଯ୍ୟାଳୟ (ଏଫ୍‌ସିଡିଓ)ରେ ଏସିଆ ମନ୍ତ୍ରୀ ଥିବା ଆମଣ୍ଡ ମିଲିଙ୍ଗ୍‌ ପ୍ରତିକ୍ରିୟା ରଖି କହିଛନ୍ତି, କଶ୍ମୀର ଏକ ଦ୍ୱିପାକ୍ଷିିକ ମାମଲା ଯାହା ଉପରେ ବ୍ରିଟେନ ସରକାରଙ୍କ ଆଭିମୁଖ୍ୟ ଅପରବର୍ତ୍ତିତ ରହିଛି। ସରକାର କଶ୍ମୀର ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି। ତେବେ କଶ୍ମୀରବାସୀଙ୍କ ଇଚ୍ଛାକୁ ବିଚାରକୁ ନେଇ ଭାରତ ଓ ପାକିସ୍ତାନ ରାଜନୈତିକ ସମାଧାନ ସୂତ୍ର ବାହାର କରିବା ଉଚିତ। ବ୍ରିଟେନ ସମାଧାନ ପାଇଁ କୌଣସି ପରାମର୍ଶ ଦେବନାହିଁ କିମ୍ବା ମଧ୍ୟସ୍ଥତା କରିବ ନାହିଁ ବୋଲି ମିଲିଙ୍ଗ କହିଛନ୍ତି। ପାକିସ୍ତାନୀ ବଂଶୋଦ୍ଭବ ଲେବର ପାର୍ଟି ଏମ୍‌ପି ନାଜ ଶାହାଙ୍କ ସମେତ ପଛ ବେଞ୍ଚ୍‌ର କେତେଜଣ ଏମ୍‌ପି ଆଲୋଚନାରେ ଭାଗ ନେଇଥିଲେ। ସେମାନେ ବ୍ୟବହାର କରିଥିବା ଭାଷାକୁ ଭାରତ ନିନ୍ଦା କରିଛି। କଶ୍ମୀର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରାଯାଇଥିବାରୁ ଲଣ୍ଡନସ୍ଥିତ ଭାରତୀୟ ହାଇକମିଶନ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।

Share