Advertisement

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୮ ଦାବିଦାର

ଲଣ୍ଡନ,୨୭ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପାଇଁ ଚାଲିଥିବା ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ ହେବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ଇସ୍ତାଫା ଘୋଷଣା କରିସାରିଛନ୍ତି। ସେ ସରକାରୀ ବାସଭବନ ଡାଉନିଂ ଷ୍ଟ୍ରିଟ୍‌ରୁ ଜୁନ୍‌ ୭ରେ ବିଦାୟ ନେବେ। ଏହା ପରେ କଞ୍ଜରଭେଟିଭ୍‌ ପାର୍ଟି ନେତା ତଥା ପ୍ରଧାନମନ୍ତ୍ରୀ ପଦ ପାଇଁ ୧୦ ତାରିଖରେ ନିର୍ବାଚନ ହେବ। ଏଥିଲାଗି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ବ୍ରେକ୍‌ଜିଟ୍‌ ସପକ୍ଷବାଦୀ ତଥା ପୂର୍ବତନ ବହିର୍ବ୍ୟାପାର ସଚିବ ବୋରିସ୍‌ ଜନ୍‌ସନ ଥେରେସାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି କୁହାଯାଉଥିଲେ ର୍ଁହେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅନ୍ୟ ୭ ଜଣ ମଧ୍ୟ ଅଛନ୍ତି। ଏହି ପଦ ପାଇଁ ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଅଛନ୍ତି ବ୍ରିଟେନର ପରିବେଶ ସଚିବ ମାଇକେଲ୍‌ ଗୋଭ, ପୂର୍ବତନ ବ୍ରେକ୍‌ଜିଟ ସଚିବ ଡୋମିନିକ୍‌ ରାବ୍‌ ଓ ପୂର୍ବତନ କମନ୍ସ ନେତା ଆଣ୍ଡ୍ରିଆ ଲିଡ୍‌ସମ। ସେହିପରି ବହିର୍ବ୍ୟାପାର ସଚିବ ଜେରେମି ହଣ୍ଟ, ଅନ୍ତର୍ଜାତୀୟ ବିକାଶ ସଚିବ ରୋର୍‌ ଷ୍ଟିଓ୍ବାର୍ଟ, ସ୍ବାସ୍ଥ୍ୟ ସଚିବ ମାଟ୍‌ ହନ୍‌କକ୍‌ ଓ ପୂର୍ବତନ ପେନ୍‌ସନ ସଚିବ ଏସ୍‌ଥେର ମ୍ୟାକ୍‌ଭେ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ଏହି ଆଶାୟୀମାନେ ବ୍ରେକ୍‌ଜିଟ୍‌ ସମ୍ପର୍କିତ ନିଜ ଆଭିମୁଖ୍ୟ ୩୧୩ ଟୋରି ଏମ୍‌ପି ଏବଂ ଦଳର ୧୨୪,୦୦୦ ସଦସ୍ୟଙ୍କ ଆଗରେ ସ୍ପଷ୍ଟ କରିବେ। ଏହି ଏମ୍‌ପିମାନେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବେ। ଦଳର ସଦସ୍ୟମାନେ ସେମାନଙ୍କ ମଧ୍ୟରୁ ପ୍ରମୁଖ ଦୁଇଜଣଙ୍କୁ ଦୌଡ଼ ପାଇଁ ବାଛିବେ। ବୋରିସ୍‌ ଜନ୍‌ସନ୍‌ ଓ ରୋର୍‌ ଷ୍ଟିଓ୍ବାର୍ଟଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇପାରିବ ବୋଲି କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share