ବ୍ରିଟେନ ସାଧାରଣ ନିର୍ବାଚନ ଲାଗି ମତଦାନ

ଲଣ୍ଡନ,୧୩।୧୨(ପି.ଟି.):ବ୍ରିଟେନରେ ପାଖାପାଖି ୧୦୦ ବର୍ଷ ପରେ ପ୍ରଥମ ଥର ଡିସେମ୍ବରରେ ସାଧାରଣ ନିର୍ବାଚନ ହେଉଥିବାବେଳେ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଗୁରୁବାର ଭୋଟକେନ୍ଦ୍ରଗୁଡିକରେ ହଜାର ହଜାର ଭୋଟର ମତଦାନ ଲାଗି ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବଂ ବିରୋଧୀ ଦଳ ନେତା ଜେରେମି କର୍‌ବିନ ପ୍ରଥମେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଇଂଲଣ୍ଡ, ଓ୍ବେଲ୍ସ, ସ୍କଟଲାଣ୍ଡ ଓ ଉତ୍ତର ଆୟର୍ଲାଣ୍ଡର ସବୁ ବୁଥ୍‌ରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ହାଉସ ଅଫ୍‌ କମନ୍ସର ୬୫୦ ଆସନ ଲାଗି ୩୩୨୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ପ୍ରବଳ ଥଣ୍ଡା ସାଙ୍ଗକୁ ମେଘୁଆ ପାଗ ସତ୍ତ୍ୱେ ଭୋଟକେନ୍ଦ୍ର ବାହାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା।
କଞ୍ଜରଭେଟିଭ ପାର୍ଟିର ସଂଖ୍ୟାଗରିଷ୍ଠତା ଓ ପାର୍ଲାମେଣ୍ଟରେ ବ୍ରେକ୍‌ଜିଟ ଚୁକ୍ତିକୁ ଗୃହୀତ କରାଇବା
ଲାଗି ପ୍ରଧାନମନ୍ତ୍ରୀ ଜନ୍‌ସନ ନିର୍ବାଚନ ଘୋଷଣା କରିଥିଲେ। ବ୍ରେକ୍‌ଜିଟ ମାଧ୍ୟମରେ ବ୍ରିଟେନ ୟୁରୋପୀୟ ସଂଘରୁ ବାହାଯିବା ପାଇଁ ଚାହୁଁଥିବାବେଳେ ଏଥିପାଇଁ ପାର୍ଲାମେଣ୍ଟରେ ସହମତିର ଅଭାବ ରହିଥିବାରୁ ଏହାକୁ ଗୃହୀତ କରାଇବାରେ ଜନ୍‌ସନ ସରକାର ବିଫଳ ହୋଇଥିଲେ। ୨୦୨୦ ଜାନୁୟାରୀ ୩୧ ସୁଦ୍ଧା ବ୍ରେକ୍‌ଜିଟ କାର୍ଯ୍ୟକାରୀ କରାଇବା ଲାଗି ଜନ୍‌ସନ୍‌ ଆହ୍ବାନ ଦେଇଥିଲେ। ସେ ସେଣ୍ଟ୍ରାଲ ଲଣ୍ଡନ ବୁଥ୍‌ରେ ଭୋଟଦେଇଥିବାବେଳେ ବିରୋଧୀ ଲେବର ପାର୍ଟି ନେତା କର୍‌ବିନ, ଲିବେରାଲ ଡେମୋକ୍ରାଟ ନେତା ଜୋ ସ୍ବିନ୍‌ସନ, ସ୍କଟିଶ୍‌ ନ୍ୟାଶନାଲ ପାର୍ଟି ନେତା ନିକୋଲା ଷ୍ଟର୍‌ଜନ, ଗ୍ରୀନ୍‌ ପାର୍ଟି ନେତା ଜୋନାଥନ ବାର୍ଟଲି ଏବଂ ଓ୍ବେଲ୍ସ ପ୍ଲେଡ୍‌ ସିମ୍ରୁ ନେତା ଆଦାମ ପ୍ରାଇସ୍‌ ସେମାନଙ୍କ ବୁଥରେ ଭୋଟ ଦେଇଥିଲେ।

Share