ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି ସହ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ମଧ୍ୟରେ କଥାବାର୍ତ୍ତା ବିନା ଡିଲ୍‌ରେ ଶେଷ ହୋଇଛି। ଫଳରେ ଥେରେସାଙ୍କୁ ଶକ୍ତ ଝଟ୍‌କା ଲାଗିଛି।
ଲେବର ପାର୍ଟି ନେତା ଜେରେମି କୋର୍ବିନ ଥେରେସାଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ଶାସକ କନ୍‌ଜର୍ଭେଟିଭ୍‌ ପାର୍ଟିରେ ନେତୃତ୍ୱକୁ ନେଇ ଲଢ଼େଇ ଚାଲିଛି। ତେଣୁ ଆଲୋଚନା ପ୍ରକ୍ରିୟା ଶେଷ ହେଲା ବୋଲି ଘୋଷଣା କରିବାକୁ କୋର୍ବିନ ଏଥିରେ ଉଲ୍ଲେଖ କରିଛନ୍ତି। ଆଲୋଚନା ଯେତିକି ବାଟ ଆଗେଇବାର ଥିଲା ଆଗେଇଲା। ସରକାରର ଦୁର୍ବଳତା ଓ ଅସ୍ଥିରତା ଯୋଗୁ ଏହା ବିଫଳ ହୋଇଛି ବୋଲି ଜେରେମି କହିଛନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ଗଣଭୋଟ ଭଳି ପ୍ରସଙ୍ଗଗୁଡ଼ିକୁ ନେଇ ବିରୋଧୀ ଦଳରେ ସହମତି ପ୍ରକାଶ ପାଇନାହିଁ ବୋଲି ଥେରେସା ଏହି ବିଫଳତା ପାଇଁ ଲେବର ପାର୍ଟିକୁ ଦୋଷ ଦେଇଛନ୍ତି। ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭରଡ୍‌କାର ଏହି ଘଟଣାକ୍ରମକୁ ଅତ୍ୟନ୍ତ ନକାରାମତ୍କ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଥେରେସା ଆସନ୍ତା ମାସରେ ଡାଉନିଂ ଷ୍ଟ୍ରିଟ୍‌ରୁ ବିଦାୟ ନେବା ପାଇଁ ଘୋଷଣା କରିବା ଲାଗି ଗୁରୁବାର ବାଧ୍ୟ ହୋଇଥିଲେ। ଏହାର ଦିନକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଆସିଛି। ପ୍ରକାଶ ଯେ, ୨୮ ରାଷ୍ଟ୍ରକୁ ନେଇ ଗଠିତ ଇୟୁ ସହ ବ୍ରିଟେନର ବିଚ୍ଛେଦ ମାର୍ଚ୍ଚ ୨୯ରେ ହେବାର ଥିଲା। କିନ୍ତୁ ଏମ୍‌ପିମାନେ ଥେରେସାଙ୍କ ଡିଲ୍‌କୁ ୩ ଥର ପ୍ରତ୍ୟାଖ୍ୟାନ କରିବା ପରେ ଇୟୁ ବ୍ରିଟେନକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟ ଦେଇଥିଲା।

Share