Categories: ଖେଳ

ବ୍ରେଟ୍‌ ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ଲିଷ୍ଟରେ ବୁମ୍‌ରା

ମେଲବୋର୍ନ, ୨୩।୫(ପି.ଟି.)- ଚଳିତ ମାସ ୩୦ରୁ ବ୍ରିଟେନରେ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏଥିପୂର୍ବରୁ ପ୍ରାକ୍ତନ ଅଷ୍ଟ୍ରେଲୀୟ ମହାନ ବୋଲର ବ୍ରେଟ୍‌ ଲି ଆସନ୍ତା ବିଶ୍ୱକପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ଥିବା ଟପ୍‌-୩ ଦ୍ରୁତ ବୋଲର ତାଲିକା ପ୍ରକାଶ କରିଛନ୍ତି। ଏହି ଲିଷ୍ଟରେ ଯୁବ ଭାରତୀୟ ବୋଲର ଯଶପ୍ରୀତ୍‌ ବୁମ୍‌ରା ସ୍ଥାନ ପାଇଛନ୍ତି। ‘ବୁମ୍‌ରା ଜଣେ ଚମତ୍କାର ବୋଲର। ତାଙ୍କ ନାମରେ ଅନେକ ରେକର୍ଡ ରହିଛି। ସେ ଭଲ ପେସ୍‌ ଓ ୟର୍କର ପକାଇ ପାରନ୍ତି’ ବୋଲି ୨୦୦୩ ବିଶ୍ୱକପ୍‌ ଚାମ୍ପିୟନ ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିବା ଲି କହିଛନ୍ତି। ବୁମ୍‌ରା ଭାରତ ପକ୍ଷରୁ ୪୯ ଦିନିକିଆରୁ ୮୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଲି’ଙ୍କ ଟପ୍‌-୩ ଦ୍ରୁତ ବୋଲର ତାଲିକାରେ ବୁମ୍‌ରାଙ୍କ ବ୍ୟତୀତ ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କୁମିନ୍ସ ସ୍ଥାନ ପାଇଛନ୍ତି। ‘ମିଚେଲ ଷ୍ଟାର୍କଙ୍କ ସହ ରହିବାକୁ ପଡ଼ିବ। ସେ ବର୍ତ୍ତମାନ ବି ଜଣେ କ୍ୱାଲିଟ୍‌ ବୋଲର’ ବୋଲି ଲି କହିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଷ୍ଟାର୍କ ୨୨ଟି ଉଇକେଟ୍‌ ଅକ୍ତିଆର କରି ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଗତ ଫେବ୍ରୁୟାରୀରେ ଷ୍ଟାର୍କ ଛାତିରେ ଆଘାତ ପାଇଥିଲେ ମଧ୍ୟ ଏବେ ସୁସ୍ଥ ହୋଇ ବିଶ୍ୱକପ୍‌ ଲାଗି ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଛନ୍ତି। ସେହିଭଳି କୁମିନ୍ସଙ୍କୁ ନେଇ ଲି କହିଛନ୍ତି, ‘ଯେତେବେଳେ କୁମିନ୍ସ ପେସ୍‌, ଲକ୍ଷ୍ୟ ଓ ବିବିଧତାରେ ବୋଲିଂ କରିବେ ତେବେ ସେ ସବୁକିଛି କରିପାରିବେ’। ଚଳିତ ବର୍ଷ ୬ ଦିନିକିଆରୁ କୁମିନ୍ସ ୧୪.୨୯ ଆଭରେଜରେ ୧୭ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share