Categories: ଖେଳ

ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍‌

ଉଲାନ-ଉଡେ(ରୁଷିଆ),୧୨।୧୦(ପି.ଟି.)- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ଙ୍କୁ ଚଳିତ ଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ମେରୀକମ୍‌ ତୁର୍କୀର ବୁସେନାଜ କାକିରୋଗ୍‌ଲୁଙ୍କଠାରୁ ପରାସ୍ତ ହୋଇଛନ୍ତି। ତୃତୀୟ ସିଡ୍‌ ମେରୀକମ୍‌ଙ୍କୁ ୧-୪ ବ୍ୟବଧାନରେ ଦ୍ୱିତୀୟ ସିଡ୍‌ ତଥା ୟୁରୋପିଆନ ଚାମ୍ପିୟନ ବୁସେନାଜ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ଅଫିସିଆଲଙ୍କ ପକ୍ଷରୁ ଜଜ୍‌ଙ୍କ ଏହି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ଅପିଲ କରାଯାଇଥିଲା। ହେଲେ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଟେକ୍‌ନିକାଲ କମିଟି ଅପିଲକୁ ଖାରଜ କରିଦେଇଥିଲା।
ପ୍ରଥମ ରାଉଣ୍ଡରେ ଦୁଇ ବକ୍ସର ରକ୍ଷଣାତ୍ମକ ଖେଳ ଦେଖାଇଥିଲେ। ମେରୀକମ୍‌ କାଉଣ୍ଟର ଆଟାକ୍‌ କରିଥିଲେ। କିନ୍ତୁ ବୁସେନାଜ ନିଜ ଉଚ୍ଚତା ଯୋଗୁ ବର୍ତ୍ତି ଯାଇଥିଲେ। ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଦୁହେଁ ସମାନ ଟାକ୍‌ଟିକ୍ସ ଆପଣେଇଥିଲେ। ମ୍ୟାଚ୍‌ର ଅନ୍ତିମ ମିନିଟ୍‌ରେ ଉଭୟ ବକ୍ସର ଲଗାତାର ପଞ୍ଚ ମାରିଥିଲେ। ହେଲେ ତୁର୍କୀ ବକ୍ସର ଜିତାପଟ ହାସଲ କରିଥିଲେ। ପରାଜୟ ସତ୍ତ୍ୱେ ୩୬ ବର୍ଷୀୟା ବକ୍ସର ମେରୀକମ୍‌ ନିଜ ସଫଳତାର ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ୫୧ କେଜି ଓଜନ ବର୍ଗରେ ଏହା ମେରୀକମ୍‌ଙ୍କ ପ୍ରଥମ ବ୍ରୋଞ୍ଜ ବିଶ୍ୱ ଚାମ୍ପିୟନଶିପ୍‌ ପଦକ। ୬ ବିଶ୍ୱ ଟାଇଟଲ ସହ ତାଙ୍କ କ୍ୟାରିୟରରେ ୨୦୧୨ ଅଲିମ୍ପିକ୍ସରେ ବ୍ରୋଞ୍ଜ, ୫ ଏସିଆନ୍‌ ଟାଇଟଲ, ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ରହିଛି।

Share