Categories: ଖେଳ

ବ୍ରୋଞ୍ଜ ପଦକ ପାଇଁ ଲଢିବ ଭାରତୀୟ କମ୍ପାଉଣ୍ଡ ଟିମ୍‌

ଆଣ୍ଟାଲ୍ୟା (ତୁର୍କୀ), ୨୪ା୫ (ପି.ଟି.)-ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଟିମ୍‌ ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୩ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବା ବେଳେ ଭାରତର ଉଭୟ ପୁରୁଷ ଓ ମହିଳା ରିକର୍ଭ ଦଳ ଦ୍ୱିତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ରଜତ ଚୌହାନ, ଅଭିଶେକ ବର୍ମା ଏବଂ ଅମନ ସଇନିଙ୍କୁ ନେଇ ପୁରୁଷ କମ୍ପାଉଣ୍ଡ ଦଳ କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଦଳକୁ ପରାସ୍ତ କରିଥିଲେ। ମାତ୍ର ସେମିଫାଇନାଲରେ ତୁର୍କୀଠାରୁ ୨୩୩-୨୩୪ରେ ପରାସ୍ତ ହେବା ଦ୍ୱାରା ରୁଷିଆ ବିପକ୍ଷରେ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ ଖେଳିବ। ଜ୍ୟୋତି ସୁରେଖା ଭେନମ, ସ୍ବାତୀ ଦୁଧ୍ୱାଲ ଏବଂ ମୁସ୍କାନ କିରାରଙ୍କୁ ନେଇ ମହିଳା ଦଳ ରୁଷିଆ ବିପକ୍ଷ ସେମିଫାଇନାଲ ହାରିବା ପରେ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍‌ରେ ସେମାନେ ଗ୍ରେଟ୍‌ ବ୍ରିଟେନକୁ ଭେଟିବେ। ଭାରତର ଉଭୟ ପୁରୁଷ ଓ ମହିଳା ରିକର୍ଭ ଟିମ୍‌କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ତରୁଣଦୀପ ରାୟ, ଅତନୁ ଦାସ ଓ ପ୍ରବୀଣ ଯାଦବଙ୍କୁ ନେଇ ପୁରୁଷ ଦଳ ଇଟାଲୀ ବିପକ୍ଷ ଶୁଟ୍‌-ଅଫ୍‌ ୨୭-୨୯ରେ ପରାଜିତ ହୋଇଯାଇଥିଲେ। ସେହିପରି ମହିଳା ରିକର୍ଭ ବିଭାଗରେ ଦୀପିକା କୁମାରୀ, ବୋମ୍ବାଲ୍ୟା ଦେବୀ ଲାଇଶ୍ରାମ ଏବଂ କୋମଳିକା ବାରିଙ୍କୁ ନେଇ ଭାରତୀୟ ଦଳ ୨୬-୨୯ ବ୍ୟବଧାନରେ ଜର୍ମାନୀ ଦଳଠାରୁ ହାରିଯାଇଥିଲା।

Share