Categories: ଖେଳ

ବ୍ରୋଞ୍ଜ ସହ ନିଶାଦଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୁବାଇ, ୧୪।୧୧ (ପି.ଟି.)- ଭାରତୀୟ ପାରା ଆଥ୍‌ଲେଟ ନିଶାଦ କୁମାର ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ହାଇଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ହାଇଜମ୍ପ ଟି୪୭ ବର୍ଗରେ ନିଶାଦ ୧.୯୭ ମିଟର ସହ ୩ୟ ସ୍ଥାନରେ ରହିଥିଲେ। ରିଓ ପାରା ଅଲିମ୍ପିକ ଚାମ୍ପିୟନ ତଥା ବିଶ୍ୱ ରେକର୍ଡଧାରୀ ଆମେରିକାର ରୋଡ୍ରିକ ଟାଉନସେଣ୍ଡ (୨.୦୩ ମିଟର) ଓ ଚାଇନାର ହୋଙ୍ଗ୍‌ଜି ଚେନ୍‌ (୨.୦) ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ନିଶାଦଙ୍କ ଏହା ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ନିଶାଦ ଏଥିସହ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ପାରା ଅଲିମ୍ପିକ ଗେମ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତର ୯ମ ପାରା ଆଥ୍‌ଲେଟ୍‌ ଭାବେ ସେ ଟୋକିଓ ଟିକେଟ୍‌ ଅର୍ଜନ କରିଛନ୍ତି। ସେହିଭଳି ଚଳିତ ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତର ଏହା ମୋଟ୍‌ ଉପରେ ୬ଷ୍ଠ ପଦକ। ୨୦୧୭ରେ ଲଣ୍ଡନ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ଭାରତ ମୋଟ୍‌ ୫ ପଦକ ଜିତିଥିଲା।

Share