Categories: ଖେଳ

ବ୍ରୋଞ୍ଜ ସହ ଶୁଟର୍‌ ଦୀପକଙ୍କୁ ଅଲିମ୍ପିକ ଯୋଗ୍ୟତା

ଦୋହା, ୫।୧୧ (ପି.ଟି.)- ଏଠାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ ଶୁଟିଂ ପ୍ରତିଯୋଗିତାର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ଦୀପକ କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୀପକ ଏଥିସହ ଆସନ୍ତା ବର୍ଷ ଟୋକିଓରେ ଖେଳାଯିବାକୁ ଥିବା କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିବାରେ ଦୀପକ ୧୦ମ ଭାରତୀୟ ଶୁଟର୍‌ ହୋଇଛନ୍ତି। ପୂର୍ବରୁ ଗତ ଏପ୍ରିଲରେ ଦିବ୍ୟାଂଶ ସିଂ ପନଓ୍ବାର ଏହି ଇଭେଣ୍ଟରେ ଅଲିମ୍ପିକ ଟିକେଟ୍‌ ହାସଲ କରିଥିଲେ।
୧୦ ମିଟର ଏୟାର ରାଇଫଲ୍‌ରେ ଦୀପକ ମୋଟ୍‌ ୬୨୬.୮ ସ୍କୋର ସହ ୩ୟ ସ୍ଥାନରେ ରହି ୮ ଜଣିଆ ଫାଇନାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଥିଲେ। ଫାଇନାଲରେ ସେ ୨୨୭.୮ ସ୍କୋର କରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଥିଲେ। ଦୀପକ ଏଥିପୂର୍ବରୁ ୨୦୧୮ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ମଧ୍ୟ ୩ୟ ସ୍ଥାନ ହାସଲ କରିଥିଲେ। ବର୍ତ୍ତମାନ ସୁଦ୍ଧା ଚାଇନା ସର୍ବାଧିକ ୨୫ ଅଲିମ୍ପିକ କୋଟା ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋରିଆ (୧୨) ଓ ଆୟୋଜକ ଜାପାନ (୧୨) ପଛକୁ ପଛ ରହିଛନ୍ତି।

Share