ବ୍ଲକରେ ଖୋଲିବ ଡିଏଲ୍‌ କ୍ୟାମ୍ପ: ମନ୍ତ୍ରୀ

ଭୁବନେଶ୍ୱର,୨୪।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ ହେବା ପରେ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ହେଲେ ଗ୍ରାମାଞ୍ଚଳରେ ଚାଳକମାନେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିଟି ବ୍ଲକରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମଙ୍ଗଳବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବ୍ଲକ ଏବଂ ସବ୍‌ଡିଭିଜନ୍‌ସ୍ତରରେ ଡିଏଲ୍‌ କ୍ୟାମ୍ପ ଖୋଲାଯିବ। ସେଠାରେ ଚାଳକମାନଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ। ଏହାଛଡ଼ା ବ୍ଲକସ୍ତରରେ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମଧ୍ୟ କ୍ୟାମ୍ପ କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ନୂଆ ଟ୍ରାଫିକ୍‌ କଟକଣା ଲାଗୁ ହେବା ପରେ ଗାଡ଼ି କାଗଜପତ୍ର ନ ଥିବା ଚାଳକ ଓ ମାଲିକଙ୍କ ମନରେ ଛନକା ପଶି ଯାଇଥିଲା। ବର୍ଦ୍ଧିତ ଜରିମାନା ରାଶିକୁ ନେଇ ଜନଅସନ୍ତୋଷ ଦେଖା ଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ଯାଏ ଏହାକୁ କୋହଳ କରିଥିଲେ। ଏହି ସମୟରେ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଚାପରେ ରାଜ୍ୟ ପରିବହନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅଣଦେଖା କରି ଆସନ୍ତା ଅକ୍ଟୋବର ପହିଲାରୁ ପଲ୍ୟୁସନ୍‌ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛି।

Share