ବ୍ଲକସ୍ତରୀୟ ଜନଶୁଣାଣି ଶିବିର: ୩୮ ପରିବାର କଲେ ଶହେ ଦିନର କାମ

ବିଜେପୁର, ୩।୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ ସଭା କକ୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦୌଲତ ଚନ୍ଦ୍ରକାର ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ବିଡିଓ ପଦ୍ମନାଭ ସାମନ୍ତରାୟ ଅଧ୍ୟକ୍ଷତା କରି ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପଞ୍ଚାୟତସ୍ତରୀୟ ଜନଶୁଣାଣି ସମୟରେ କେତେକ ପଞ୍ଚାୟତରେ କେସ ରେକର୍ଡ ଓ ଫାଇଲ ପତ୍ର ପ୍ରଦର୍ଶନ କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ତେଣୁ ଆଗାମୀ ଦିନରେ ଏହାର ପୁନରାବୃତ୍ତି ନ ହେବାକୁ ଏପିଡି ଚନ୍ଦ୍ରକାର ପିଇଓ ଏବଂ ଜିଆରଏସ ମାନଙ୍କୁ ତାଗିଦ କରିଥିଲେ। ଅପରପକ୍ଷେ ଏଭଳି ଅଭିଯୋଗ ଆସିଲେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଏପିଡି ଚନ୍ଦ୍ରକାର ଚେତାବନୀ ଦେଇଥିଲେ । ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ବଣ୍ଟନ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରତି ମାସ ପ୍ରଥମ ସପ୍ତାହରେ ଅଙ୍ଗନୱାଡି କର୍ମୀଙ୍କ ନିକଟରୁ ମୃତ ବ୍ୟକ୍ତିଙ୍କ ତାଲିକା ସଂଗ୍ରହ କରିବାକୁ ପିଇଓମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବିଜେପୁର ବ୍ଲକରେ ୨୦୧୮-୧୯ ଆର୍ଥିକ ବର୍ଷରେ ୪୦୧୧ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୧୪୯୫ଟି ପ୍ରକଳ୍ପ ସମ୍ପୂୂର୍ଣ୍ଣ ହୋଇଛି। ଏଥିପାଇଁ ସମୁଦାୟ ୪୦୨.୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ୨୧,୦୬୩ଟି ପରିବାର ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ବେଳେ ସମସ୍ତଙ୍କୁ ଜବକାର୍ଡ ପ୍ରଦାନ କରାଯାଇଥିଲା। ୬୩୧୬ଟି ପରିବାର କାମ ପାଇଁ ଆବେଦନ କରିଥିବା ବେଳେ ସମସ୍ତ ପରିବାରକୁ କାମ ଯୋଗାଇ ଦିଆଯାଇଥିଲା। ମୋଟ ୩୮ଟି ପରିବାର ୧୦୦ ଦିନର କାମ ସମ୍ପୂର୍ଣ୍ଣ କରିଥିବା ସିପି ଅଷାତୁ ବାରିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ସାମାଜିକ ସମୀକ୍ଷା ଅଧିକାରୀ ଆନନ୍ଦ କୁମାର ପଧାନ ମଞ୍ଚାସୀନ ଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଶ୍ରମିକ ତଥା ଜନ ପ୍ରତିନିଧି ଯୋଗ ଦେଇଥିଲେ ।
–ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ମଞ୍ଚାସୀନ ଅଧିକାରୀ ।

Share