ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ, ଶିକ୍ଷକ ସମ୍ମିଳନୀ ସହ ବିଇଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

ଲେଫ୍ରିପଡା,୧।୩(ଡି.ଏନ.ଏ)-ସୁନ୍ଦରଗଡ ଜିଲା ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିକ୍ଷୟିତ୍ରୀ ଶିକ୍ଷକ ସମ୍ମିଳନୀ ଏବଂ ବ୍ଲକଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜିଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ଯୋଗଦାନ କରି ଶିକ୍ଷକ ସବୁବେଳେ ନମସ୍ୟ ବୋଲି କହିଥିଲେ। ଏହା ବ୍ୟତୀତ ସୁନ୍ଦରଗଡ ଜିଲା ଶିକ୍ଷା କ୍ଷେତ୍ରରେ ଗୋଟିଏ ଅଗ୍ରଣୀ ଜିଲା ହୋଇପାରିଛି। ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ବୋଲି ମତାମତ ପ୍ରଦାନ କରିଥିଲେ। ବିଗତ ଦିନ ଧରି ଶିକ୍ଷା ବିଭାଗରେ କାର୍ଯ୍ୟକରିଥିବା ଲେଫ୍ରିପଡା ବ୍ଲକ୍‌ ଶିକ୍ଷା ଅଧିକାରୀ ହରେକୃଷ୍ଣ ପୁରୋହିତଙ୍କ କାର୍ଯ୍ୟକାଳ ଅବସର ହୋଇଥିବାରୁ ଆଗାମୀ ଦିନରେ ପୁରୋହିତଙ୍କ ଜୀବନର ଚଲାପଥ କୁସୁମିତ ହେଉ ବୋଲି ଭଗବାନଙ୍କୁ କାମନା କରିଥିଲେ। ଲେଫ୍ରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶିକ୍ଷୟିତ୍ରୀ ଶିକ୍ଷକମାନେ ଆଗାମୀ ଦିନରେ ବିଭିନ୍ନ ଶୈଳୀରେ ପିଲା ମାନଙ୍କୁ ଏକ ସୁତ୍ରରେ ବାନ୍ଧି ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ। ସୁନ୍ଦରଗଡ ଜିଲାପାଳଙ୍କ ଶିକ୍ଷା ବିଭାଗର ଉପଦେଷ୍ଟା ଅକ୍ଷୟକୁମାର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଦ୍ୟାଳୟରେ ଜ୍ଞାନଆହରଣ ସକାଶେ କେବଳ ପଢାବହିକୁ ଛାଡି ଅନ୍ୟାନ୍ୟ ଲାଇବ୍ରେରୀ ପୁସ୍ତକ ପଢିବା ନିହାତି ଜରୁରୀ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ଶିକ୍ଷକ ସଂଘର ହୋତେଶ୍ୱର ଶେଖର ଦେଓ ଏବଂ ଗୋବିନ୍ଦ ଚନ୍ଦ୍ର ସୁଆର ଯୋଗଦାନ କରି ଶିକ୍ଷକଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଆଲୋଚନା କରିଥିଲେ। ପରେ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଉପଢୌକନ ଏବଂ ଫୁଲତୋଡା ଦେଇ ସମସ୍ତ ଅତିଥି ସମ୍ବର୍ଦ୍ଧନା କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକ୍‌ ଶିକ୍ଷକ ସଂଘ ପକ୍ଷରୁ ସୁଶିଲ କୁମାର ପୃଷେଠ୍‌ ବ୍ଲକ୍‌ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପାଠ କରିଥିଲେ। ଶିକ୍ଷକ ମାନଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ଉପରେ ଶିକ୍ଷକ ବୀର କିଶୋର ମିଶ୍ର ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଲେଫ୍ରିପଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ବନମାଳୀ ବାଗ୍‌ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଲେଫ୍ରିପଡା ଏବିଇଓ, ସିଆରସିସି,ଏବଂ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଭାଗ ନେଇଥିଲେ।