ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଅନେକ ସ୍ଥାନରେ ଜବରଦଖଲକୁ ନେଇ ବିବାଦ ଦେଖା ଦେବା ସହିତ ତହସିଲରେ ଅଭିଯୋଗ ସରିଛି। ୨ବର୍ଷ ପୂର୍ବରୁ ଏହି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ସମୟରେ ଜବର ଦଖଲ ଉଚ୍ଛେଦ କରାଯାଇଥିଲା। ରାସ୍ତା ନିର୍ମାଣ ସରିବା ପରେ ଝୁମ୍ପୁରା ବ୍ଲକ ଛକଠାରୁ କୃଷି ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନେକ ସ୍ଥାନରେ ନିଜ ଦୋକାନ ଘରର ତାଜା ରାସ୍ତା ପାର୍ଶ୍ୱକୁ ବଢାଇବା, ରାସ୍ତା ସଂଲଗ୍ନ ବେନିୟମ ନିର୍ମାଣ କରିବା, ଉଚ୍ଚ ବିଦ୍ୟାଳୟ ରାସ୍ତାପାର୍ଶ୍ୱ ପାଚେରି କଡରେ କ୍ୟାବିନ ପକାଇବା ଯୋଗୁ ପୁଣି ଥରେ ବ୍ଲକ ଛକରୁ ବ୍ଲକ ରାସ୍ତା ୫ଶହ ମିଟର ପର୍ଯ୍ୟନ୍ତ ଅବରୋଧ ହୋଇଚାଲିଛି। ଏଥିଲାଗି ଗାଡି ଓ ବାଇକ ରାସ୍ତା ଉପରେ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ପ୍ରତ୍ୟହ ଏହି ସ୍ଥାନରେ ବାଇକ ଆରୋହୀ ଏବଂ ସାଧାରଣ ପଥଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ତହସିଲଦାର ଜନକ ନାୟକଙ୍କୁ ପଚାରିବାରୁ ରାସ୍ତା ପାର୍ଶ୍ୱରେ ପଡିଥିବା କ୍ୟାବିନଗୁଡିକୁ ଉଠାଇବା ପାଇଁ କୁହାଯାଇଛି। ବେନିୟମ ନିର୍ମାଣ ନ କରିବା ପାଇଁ ମଧ୍ୟ ତାଗିଦ କରାଯାଇଛି। ଏହାକୁ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।