ବ୍ଲକ ଅଧ୍ୟକ୍ଷ ଭାବେ ବିଶ୍ୱନାଥ ନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ପାଟଣା,୧୮।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷ ପଦ ଦୀର୍ଘଦିନ ଖାଲି ପଡ଼ିବା ପରେ ବୁଧବାର ଆନୁଷ୍ଠାନିକ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଛି। ବ୍ଲକର ମୋଟ୍‌ ୨୦ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କଣ୍ଟିଆପଡ଼ା ପଞ୍ଚାୟତ ସମିତି ସଭ୍ୟ ପଦବୀ ଖାଲିଥିବାରୁ ୧୯ ଜଣ ସମିତି ସଭ୍ୟ ପୂର୍ବାହ୍ନ ୧୦ଟାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ। ତେବେ ଚିନାବାଳିପଶି ସମିତିସଭ୍ୟ ବିଶ୍ୱନାଥ ନାୟକ ବିଜେଡିରୁ ଏକୁଟିଆ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ତାଙ୍କୁ ନିିର୍ବାଚନ ଅଧିକାରୀ ତଥା ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷଣା କରିଛନ୍ତି। ପାଟଣା ବିଧାୟକ ଜଗନ୍ନାଥ ନାୟକ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଛି। ଏଥି ପୂର୍ବରୁ ବିଶ୍ୱନାଥ ଚିନାବାଳିପଶି ପଞ୍ଚାୟତ ସରପଞ୍ଚ ଓ ବର୍ତ୍ତମାନ ପାଟଣା ଲ୍ୟାମ୍ପ୍ସର ସଭାପତି ମଧ୍ୟ ରହିଛନ୍ତି। ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ଓ ପାଟଣା ଥାନାଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲା।