ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ ଔଷଧ ଆଦି ସରକାରଙ୍କ ପକ୍ଷରୁ ଯୋଗଇ ଦେବାର ବ୍ୟବସ୍ଥା କରାଯାଇଛି। ମାତ୍ର ଏରସମା ବ୍ଲକ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଆଇରନ ବଟିକା ସେମାନଙ୍କୁ ଦିଆ ନ ଯାଇ ବ୍ଲକ ପରିସରରେ ଦରପୋଡ଼ା ଅବସ୍ଥାରେ ପଡ଼ିଥିବା ଦେଖାଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏଏସ) ଓ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ଖାଦ୍ୟ ଏବଂ ଔଷଧ ନିୟମିତ ବ୍ୟବଧାନରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ମାତ୍ର ଏରସମା ବ୍ଲକର ପଶ୍ଚିମପଟ ପାଚେରି ନିକଟରେ ଅନେକ ଆଇରନ ବଟିକା(ଫୋଲିକ ଏସିଡ ଆଣ୍ଡ ଫେରୋସ ସଲ୍‌ଫେଟ ଟାବ୍ଲେଟ୍‌ସ)ଗଦା ହୋଇଛି। ସେଥିରୁ ଅଧିକାଂଶ ଦରପଡ଼ା ଅବସ୍ଥାରେ ରହିଛି। ଏ ସମ୍ପର୍କରେ ଏରସମା ଶିଶୁ ବିକାଶ ଯୋଜନା ଅଧିକାରିଣୀ(ସିଡିପିଓ)ମଞ୍ଜୁଲତା ବେହେରାଙ୍କୁ ପଚାରିବାରୁ ତାହା ଆମର ନୁହେଁ। ଆମର ନୀଳ ରଙ୍ଗର ଆଇରନ ବଟିକା ବିଶୋରୀ ବାଳିକାମାନଙ୍କୁ ଦିଆଯିବାର ବ୍ୟବସ୍ଥା ଅଛି। ଆମ ଅଇରନ ବଟିକା ମଧ୍ୟ କିଛି ଦିନ ହେବ ସରିଯାଇଛି ବୋଲି କହିଥିଲେ। ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ବ୍ଲକ ପକ୍ଷରୁ ଆଇରନ ବଟିକା ଦିଆଯିବାର ବ୍ୟବସ୍ଥା ନାହିଁ। ମାତ୍ର କେହି ଦୁର୍ବୃତ୍ତ ଏପରି କରିଥାଇପାରନ୍ତି। ତେଣୁ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Share