ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବଦଳୁନି ସୂଚନାବୋର୍ଡ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନାର ଅଧିକାର ଅଧିନିୟମ-୨୦୦୫ର ଲେଖାଥିବା ସୂଚନା ବୋର୍ଡରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନାମ ଲେଖା ନ ଥିବାବେଳେ, ଜନ ସୂଚନା ଅଧିକାରୀ ବିଜୟା ନନ୍ଦ ବେହେରା ଗତ ୨୦୧୮ ଡିସେମ୍ବର ମାସରୁ ଅବସର ନେଲେଣି। ଏହି ଅସମ୍ପୂର୍ଣ୍ଣ ତଥା ଭୂଲ ତଥ୍ୟକୁ ସୂଚନା ବୋର୍ଡରେ ବର୍ତ୍ତମାନ ପର୍ଯ୍ୟନ୍ତ ସଜଡା ଯାଉନାହିଁ। ଝୁମ୍ପୁରା ବ୍ଲକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟକୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ ଦେବା, ମଗାଯାଇଥିବା ତଥ୍ୟର ଅସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବା ଆଦି ଚାଲିଛି।ସବୁଠାରୁ ପରିତାପର ବିଷୟ ସରକାରୀ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟାଳୟ ଆସୁ ନ ଥିବା ସ୍ଥଳେ, ଅଧିକାଂଶ କର୍ମଚାରୀ ଦୂରରେ ଥିବା ନିଜ ଘରୁ ଯିବା ଆସିବା ଚଳାଇ ରଖିଛନ୍ତି। ଫଳରେ କାର୍ଯ୍ୟାଳୟ ଗୁଡିକରେ କୌଣସି କାର୍ଯ୍ୟ ଠିକ ଭାବେ ହେଉ ନ ଥିବାବେଳେ ଲୋକ ସମ୍ପର୍କ ମଧ୍ୟ ରହୁନାହିଁ। ଏଥିଲାଗି ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଅସନ୍ତୁଷ୍ଟ ହୋଇ ଘରକୁ ଫେରୁଛନ୍ତି। ଅଭିଯୋଗ କଲେ ଅଧିକାରୀ ମାନଙ୍କ ଠାରୁ କିଛି ଉତ୍ତର ମିଳୁନାହିଁ। ଅସମ୍ପୂର୍ଣ୍ଣ ସୂଚନା ବୋର୍ଡର ଲେଖା ସମ୍ବନ୍ଧରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟସ୍ତତା ମଧ୍ୟରେ ଲେଖାଯାଇ ପାରିନାହିଁ ଉତ୍ତର ମିଳିଥିବା ବେଳେ, ବ୍ଲକ ଶିକ୍ଷାଧିକାରୀ ଦୁଃଶାସନ ସିଂ ଙ୍କ ସହିତ ଯୋଗାଯୋଗ ହୋଇ ପାରିନାହିଁ।