ବ୍ଲକ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ୭୩ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ସକାଳ ୭ଟା ୧୫ ରୁ ୮ଟା ପର୍ଯ୍ୟନ୍ତ ବିଭିନ୍ନ ବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା। ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାମୁହିକ ପରେଡକୁ ବିଧାୟକ ପ୍ରଧାନ ଅଭିବାଦନ ଜଣାଇଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନ, ବିଡିଓ ତ୍ରୀଲୋଚନ ପାତ୍ର, ତହସିଲଦାର ନିତିଶ ତ୍ରୀପାଠି, ବିଇଓ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଶିକ୍ଷକ ବିଦେଶୀ ନାୟକ ସଂଯୋଜନା କରିଥିଲେ। ଆଇଆଇସି ଅଲେଖ ଗରଡ଼ିଆଙ୍କ ତତ୍ତ୍ୱାଧାନରେ ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖା କରିଥିଲେ ।