ନୂଆଦିଲ୍ଲୀ,୨୩।୬: ଦେଶରେ ଡାଇବେଟିସ୍ ସମସ୍ୟା ବଢ଼ିଚାଲିଛି। ତେବେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଏଭଳି ରୋଗୀଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଉଥିବା ଏକ ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟମାନେ ବ୍ଲଡ୍ ସୁଗାର ନିୟନ୍ତ୍ରଣ କରିବାରେ ଅସଫଳ ରହିଛନ୍ତି। ଏନେଇ ନୋଭୋ ନୋରଡିସ୍କ୍ ଏଜୁକେଶନ୍ ଫାଉଣ୍ଡେସନ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ ଅଧିକ ସଂଖ୍ୟକ ଯୁବବର୍ଗଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଉଛି। ଦେଶର ୨୮ ସହରର ୧.୮ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଜଣାପଡ଼ିଥିଲା ଯେ, ମୁମ୍ବାଇ, କୋଲକତା, ଦିଲ୍ଲୀ, ଚେନ୍ନାଇ ଆଦି ମେଟ୍ରୋ ସହରରେ ଡାଇବେଟିସ୍ ସମସ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଏହି ସମସ୍ୟା ଯୋଗୁ ଲୋକମାନେ ୬୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ଏହି ସମସ୍ୟା ଭୋଗୁଥିବା ଲୋକଙ୍କ ସଂଖ୍ୟା ୭୨.୯ ନିୟୁତ ଥିଲା। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ କୌଣସି ଚିକିତ୍ସା ଗ୍ରହଣ କରି ନ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏହା ଯୋଗୁ କିଡ୍ନୀ ସମସ୍ୟା ସୃଷ୍ଟି ହେଉଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ଏଥିରେ ଦର୍ଶାଯାଇଛି।