ବ୍ଲଡ ବ୍ୟାଙ୍କ୍‌ରେ ରକ୍ତ ଅଭାବ: ଆଗକୁ ସୃଷ୍ଟି ହୋଇପାରେ ଜଟିଳ ସ୍ଥିତି

ଭୁବନେଶ୍ୱର,୨୯ା୩ (ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ୨୧ ଦିନିଆ ଲକ୍‌ ଡାଉନ୍‌। କେହି ଘରୁ ପଦାକୁ ଗୋଡ଼ କାଢୁନାହାନ୍ତି। ଡାକ୍ତରଖାନା ଖୋଲା ରହିଥିଲେ ମଧ୍ୟ ଏବେ ଗୁରୁତର ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ବଡ଼ ସମସ୍ୟା ପାଲଟିଛି। ଅଧିକାଂଶ ବ୍ଲଡ୍‌ବ୍ୟାଙ୍କ୍‌ରେ ମହଜୁଦ୍‌ ଥିବା ରକ୍ତ ସରି ଆସୁଥିବାବେଳେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍‌ ବ୍ୟାଙ୍କରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି। ପ୍ରତିଦିନ ଏଠାକୁ ୬୦ ୟୁନିଟରୁ ଊର୍ଦ୍ଧ୍ୱ ରକ୍ତ ଆସୁଥିଲା। ଲକ୍‌ଡାଉନ୍‌ ପରଠାରୁ ରକ୍ତ ଆସିବା ବନ୍ଦ ହୋଇଯାଇଛି। କଟକଣା ହେତୁ କୌଣସି ବ୍ୟକ୍ତି ରକ୍ତଦାନ ପାଇଁ ବାହାରକୁ ଆସିପାରୁନାହାନ୍ତି। ଏପରିସ୍ଥଳେ ଲୋକେ କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ ବ୍ୟାଙ୍କ୍‌କୁ ରକ୍ତ ପାଇଁ ଯାଉଥିଲେ ମଧ୍ୟ ଉପଲବ୍ଧ ନ ଥିବା କହି କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି। ଏପରି କି ଲକ୍‌ଡାଉନ୍‌ ପାଇଁ ବିଭିନ୍ନ ବ୍ଲଡ୍‌ବ୍ୟାଙ୍କ୍‌କୁ ଯିବା ସମ୍ଭବ ହେଉ ନ ଥିବାରୁ ସଂକଟାପନ୍ନ ବା ରକ୍ତର ଜରୁରୀ ଆବଶ୍ୟକତା କରୁଥିବା ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯାଉଛି।

ମିଳିଥିବା ସୂଚନାନୁସାରେ, ସାଧାରଣତଃ ବ୍ଲଡ୍‌ ବ୍ୟାଙ୍କ୍‌ରୁ ଯେକୌଣସି ଗ୍ରୁପ୍‌ର ରକ୍ତ ଦେଇ ଆବଶ୍ୟକ ଗ୍ରୁପ୍‌ର ରକ୍ତ ନେବାକୁ ପଡିଥାଏ। କେତେକ କ୍ଷେତ୍ରରେ ମାଗଣା ରକ୍ତ ମଧ୍ୟ ମିଳିଥାଏ। କିନ୍ତୁ ଏହା ସାଧାରଣ ଲୋକଙ୍କ କ୍ଷେତ୍ରରେ ସେତେଟା ସହଜ ନୁହେଁ। ତେବେ ବାଟରେ ପୋଲିସ ଅଟକାଉଥିବାରୁ ରୋଗୀଙ୍କ ସମ୍ପର୍କୀୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବ୍ଲଡ୍‌ବ୍ୟାଙ୍କ୍‌ କର୍ମଚାରୀମାନେ ରକ୍ତ ଗାଏବ୍‌ କରୁଥିବା ମଧ୍ୟ ଅଭିଯୋଗ ହେଉଛି। ହସ୍ପିଟାଲ କର୍ମଚାରୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ରକ୍ତ ଦିଆଯାଉଥିବା ବେଳେ ସାଧାରଣ ଲୋକଙ୍କ କଥା କେହି ଶୁଣୁ ନ ଥିବା କ୍ୟାପିଟାଲ ହସ୍ପିଟାଲ ବ୍ଲଡ୍‌ବ୍ୟାଙ୍କ୍‌ ଆସି ନିରାଶରେ ଫେରୁଥିବା ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି। ବ୍ଲଡ୍‌ ବ୍ୟାଙ୍କ୍‌ର ଜଣେ କର୍ମଚାରୀ କହିଛନ୍ତି, ଅଭିଯୋଗ ଠିକ୍‌ ନୁହେଁ। ବାସ୍ତବ କଥା ହେଲା, ଲକ୍‌ଡାଉନ୍‌ ପରେ ରକ୍ତ ଆସିବା ବନ୍ଦ ହୋଇଯାଇଛି। ଯେତିକି ଅଛି ତାହାକୁ ରୋଗୀର ଜରୁରୀ ସ୍ଥିତି ଦେଖି ଦିଆଯାଉଛି। ଯେଉଁମାନଙ୍କର ଆବଶ୍ୟକ ଅଛି ସେମାନେ ରକ୍ତ ଦେବା ଲୋକଙ୍କୁ ଧରି ସାଥିରେ ଆସି ରକ୍ତ ନେଉଛନ୍ତି। ସମାଜସେବୀ ଡଲି ରଥ କହିଛନ୍ତି, ରକ୍ତର ଯେପରି ଅଭାବ ନ ରହିବ ସେଥିପାଇଁ ସରକାର ଓ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦିଅନ୍ତୁ। ପୋଲିସ ମଧ୍ୟ ଏକ୍ଷେତ୍ରରେ ଆବଶ୍ୟକ ବ୍ୟବସ୍ଥା କରିବା କଥା। ବ୍ଲଡ୍‌ ବ୍ୟାଙ୍କ୍‌କୁ କିଛି ପାସ୍‌ ଦେବା ଦରକାର। ଯେଉଁମାନେ ରକ୍ତ ଦେବାକୁ ଆସୁଛନ୍ତି ସେମାନଙ୍କୁ ଏହି ପାସ୍‌ ଦିଆଯାଉ। ଫଳରେ ବାଟରେ ସେମାନଙ୍କୁ ପୋଲିସ ଅଟକାଇ ହଇରାଣ ନ କରୁ ବୋଲି ସେ କହିଛନ୍ତି।

Share