ବ୍ଲାକ୍‌ଲିଷ୍ଟରେ ପାକିସ୍ତାନ

ଇସଲାମାବାଦ,୨୩।୮: ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ପାକିସ୍ତାନ ଓ ତା’ର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ପୁଣି ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍‌ସିଆଲ୍‌ ଆକ୍ସନ୍‌ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌)ଶେଷରେ ପାକିସ୍ତାନକୁ ବ୍ଲାକ୍‌ଲିଷ୍ଟରେ ପକାଇ ଦେଇଛି। ଭାରତ କିଛି ବର୍ଷ ପୂର୍ବରୁ ପାକିସ୍ତାନକୁ ଏହି ବ୍ଲାକ୍‌ଲିଷ୍ଟରେ ପକାଇବାକୁ ଚେଷ୍ଟା କରୁଥିବା ବେଳେ ଏବେ ଏହା ପାକିସ୍ତାନକୁ ଝଟ୍‌କା ଲାଗିବା ସହ ଭାରତକୁ ଆଶ୍ୱସ୍ତି ଦେଇଛି। ଭାରତର ଅଭିଯୋଗ ପାଇଁ ହିଁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା। ଏହାର ଅର୍ଥ ଥିଲା ପାକିସ୍ତାନକୁ ସୁଧୁରିଯିବାକୁ ସମୟ ଦିଆଯାଇଥିଲା। ହେଲେ ଏବେ ତାକୁ ଏଫ୍‌ଏଟିଏଫ୍‌ ଗ୍ରୁପ୍‌ ବ୍ଲାକ୍‌ଲିଷ୍ଟରେ ପକାଇ ଦେଇଛନ୍ତି। ଆସନ୍ତା ଅକ୍ଟୋବର ସୁଦ୍ଧା ଯଦି ପାକିସ୍ତାନ ନ ସୁଧୁରି ଯାଏ ତେବେ ତାକୁ ସମ୍ପୂର୍ଣ୍ଣ ରୂପେ ବ୍ଲାକ୍‌ ଲିଷ୍ଟରେ ପକାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଉଥିବାରୁ ତାକୁ ଏଫ୍‌ଏଟିଏଫ୍‌ ବ୍ଲାକ ଲିଷ୍ଟରେ ରଖିଥିବା ପ୍ରକାଶ କରିଛି। ମନି ଲଣ୍ଡରିଂ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗକୁ ନେଇ ଥିବା ୪୦ଟି ପାରାମିଟର ମଧ୍ୟରୁ ୩୨ଟିରେ ଅସଫଳ ହୋଇଥିଲା ପାକିସ୍ତାନ। ଯେଉଁଥିପାଇଁ ଆଜି ଏଫ୍‌ଏଟିଏଫ୍‌ ତାକୁ ବ୍ଲାକ୍‌ଲିଷ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରିଛି।

Share