ବ୍ଲାକ୍‌ ଫଙ୍ଗସ୍‌: ଔଷଧ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବନି ଓଡ଼ିଶା

ଭୁବନେଶ୍ୱର,୧୬ା୬(ବ୍ୟୁରୋ):ରାଜ୍ୟ ସରକାର ମ୍ୟୁକୋରମାଇକୋସିସ୍‌ (ବ୍ଲାକ୍‌ ଫଙ୍ଗସ) ଚିକିତ୍ସା ପାଇଁ କେନ୍ଦ୍ର ଉପରେ ଆଉ ନିର୍ଭର କରିବେ ନାହିଁ। ରାଜ୍ୟ ସରକାର ନିଜେ ସିଧାସଳଖ ଏଥିପାଇଁ ଔଷଧ କ୍ରୟ କରିବେ। ଔଷଧ ନିର୍ମାତା କମ୍ପାନୀଗୁଡ଼ିକଠାରୁ ସିଧାସଳଖ କ୍ରୟ କରାଯାଉଥିବାରୁ ରାଜ୍ୟରେ ଜୀବନ ରକ୍ଷାକାରୀ ଔଷଧ ଅଭାବ ପୂରଣରେ ଉନ୍ନତି ଦେଖା ଦେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଆମ୍ଫୋଟେରିସିନ ବି ଇଞ୍ଜେକ୍‌ଶନ କେନ୍ଦ୍ର ସରକାରଙ୍କ ରସାୟନ ଓ ରାସାୟନିକ ସାର ମନ୍ତ୍ରଣାଳୟ ଦ୍ୱାରା ଖରିଦ କରାଯାଉଛି। ଫଳରେ ରାଜ୍ୟର ରୋଗୀମାନଙ୍କୁ ଆବଶ୍ୟକତା ସମୟରେ ମିଳିପାରୁ ନାହିଁ। ରାଜ୍ୟରେ ବ୍ଲାକ୍‌ ଫଙ୍ଗସ ରୋଗ ପରିସ୍ଥିତିରେ ଉନ୍ନତି ଦେଖାଦେଇଛି। ଯଦିଓ ଏବେ ବି ଔଷଧ ପାଇଁ ଆମେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛୁ ତେବେ ଅନ୍ୟ ସଂସ୍ଥା ଦ୍ୱାରା ମଧ୍ୟ ରାଜ୍ୟ ସରକାର ଔଷଧ କ୍ରୟ କରୁଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ରାଜ୍ୟରେ ମ୍ୟୁକୋରମାଇକୋସିସ୍‌ ମାମଲା ହ୍ରାସ ପାଇବାରେ ଲାଗିଛି। ଏହି ରୋଗ ପାଇଁ ସ୍ବତନ୍ତ୍ର ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ବ୍ଲାକ୍‌ ଫଙ୍ଗସ ରୋଗୀଙ୍କ ପାଇଁ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ଭିମ୍‌ସାରଠାରେ ରାଜ୍ୟ ସରକାର ୩୦ ବେଡ୍‌ ଲେଖାଏ ବ୍ୟବସ୍ଥା କରିଛନ୍ତିି। ପ୍ରତ୍ୟେକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଏଥିପାଇଁ ୪ଟି ବେଡ୍‌ ସଂରକ୍ଷିତ ରଖାଯାଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏ ପର୍ଯ୍ୟନ୍ତ ୮୨ ଜଣ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି।

Share