‘ବ୍ୟକ୍ତିଗତ ସ୍ବାର୍ଥକୁ ଜଳାଞ୍ଜଳି ଦିଅ’

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ହେଉଛି ସଂଗ୍ରାମୀଙ୍କ ମାଟି। ଜାତିକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଯାଇ ଜିଲାର ବହୁ ବୀର ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି। ଏବେ ଆମେ ଯେଉଁ ସ୍ବାଧୀନତା ଉପଭୋଗ କରୁଛେ, ତାହା ଆମ ପୂର୍ବ ପିଢ଼ିଙ୍କ ଅବଦାନ। ବ୍ୟକ୍ତିଗତ ସ୍ବାର୍ଥକୁ ଭୁଲି ଅଞ୍ଚଳର ସ୍ବାର୍ଥ ପ୍ରତି ଧ୍ୟାନ ଦେଲେ ସବୁକ୍ଷେତ୍ରରେ ଆମେ ଏକ ନମ୍ବର ହୋଇପାରିବା ବୋଲି କହିଛନ୍ତି ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ। କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ ଗୁରୁବାର ଆୟୋଜିତ ଉପଖଣ୍ଡସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ ଉପଜିଲାପାଳ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଜାତୀୟ ଦିବସ ପାଳନ ଅବସରରେ ସକାଳୁ ପ୍ରଭାତ ଫେରି, ରାମଧୂନ ଗାନ କରାଯାଇଥିଲା। ଏଥିସହ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମିଳିତ ପରେଡରେ ୪୯ଟି ଦଳ ଭାଗ ନେଇଥିଲେ। ଶେଷରେ ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥିଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ସମ୍ମାନିତ ହୋଇଥିଲେ। ଶେଷରେ ଅତିଥିମାନେ ସବ୍‌ଜେଲ୍‌, ଚିକିତ୍ସାଳୟର ଅନ୍ତେବାସୀଙ୍କୁ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏସ୍‌ଡିପିଓ ସୁପ୍ରସନ୍ନ ମଲିକ, ଥାନାଧିକାରୀ ନିରଞ୍ଜନ ସେଠୀ, ତହସିଲଦାର ସୁଧାଂଶୁ ଶେଖର ମହାନ୍ତି, ସୁଜାତା ଶୁଭଦର୍ଶିନୀ ନାୟକ, ଓକିଲ ସଂଘ ସଭାପତି ରଞ୍ଜନ କୁମାର ରାଉତ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।