ବ୍ୟକ୍ତିଗତ ସ୍ବାର୍ଥରେ ଲାଗୁଛି ବିଧାୟକ ପାଣ୍ଠି

ଯାଜପୁର ଅଫିସ,୬।୨: ବ୍ୟକ୍ତିଗତ ବ୍ୟବସାୟିକ ଅନୁଷ୍ଠାନକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ) ଖର୍ଚ୍ଚ ହେବା ଘଟଣାକୁ ନେଇ ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଚାରିବାଟିଆଠାରେ ଶାସକ ଦଳର ଜଣେ କର୍ମୀଙ୍କ ପୁଅ ନାମରେ ଥିବା ଏକ ଇଟା ଫ୍ୟାକ୍ଟ୍ରିକୁ ରାସ୍ତା ନିର୍ମାଣରେ ଏହି ଅନୁଦାନରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡ଼ିଛି। ଏନେଇ ଗ୍ରାମବାସୀ ଦଶରଥପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ କୃପାସିନ୍ଧୁ ପରିଡାଙ୍କ ନାମରେ ଏହି କାର୍ଯ୍ୟ ପାଇଁ ୱାର୍କ ଅର୍ଡର ରହିଥିଲା। ସେ କିପରି ଭାବେ ୫ଲକ୍ଷର ଟଙ୍କାର ସରକାରୀ ଅନୁଦାନକୁ ବ୍ୟକ୍ତିଗତ ବ୍ୟବସାୟ ଅନୁଷ୍ଠାନକୁ ରାସ୍ତା ନିର୍ମାଣ କରିବାକୁ ଅନୁମତି ଦେଲେ ସେ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସରକାରୀ ନୀୟମଅନୁଯାୟୀ କୌଣସି ପ୍ରକଳ୍ପର କାମ ହେଉଥିଲେ ୱାର୍କ ଅର୍ଡର ରହିଥିବା ଜେଇ ପ୍ରକଳ୍ପ ସ୍ଥାନରେ ରହି କାମର ମାନ ଯାଞ୍ଚ କରିଥାନ୍ତି। ବିରିପଟା-ଛୋଟାଗଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କକୁ ଲାଗି ଇଟା ଫ୍ୟାକ୍ଟ୍ରି ପର୍ଯ୍ୟନ୍ତ ଏମଏଲଏ ଲ୍ୟାଡରେ ନିର୍ମାଣ ହୋଇଥିବା ରାସ୍ତାଟି କେବଳ ଉକ୍ତ ବ୍ୟବସାୟୀଙ୍କ ବ୍ୟତିତ ଅନ୍ୟ କାହାରି କାର୍ଯ୍ୟରେ ଲାଗିବ ନାହିଁ। ଏ ସଂକ୍ରାନ୍ତରେ ଦଶରଥପୁର ବିଡଇଓ ନାରାୟଣଚନ୍ଦ୍ର ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଅଭିଯୋଗ ପାଇବା ପରେ ଆବଶ୍ୟକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂକ୍ରାନ୍ତରେ କନିଷ୍ଠ ଯନ୍ତ୍ରୀ ପରିଡାଙ୍କୁ ପଚାରିବାରୁ ତାଙ୍କୁ ଭୁଲ ପ୍ରକଳ୍ପର ନାମ କହି ଏହି କାର୍ଯ୍ୟ କରାଯାଇଛି ବୋଲି ସଫେଇ ଦେଇଛନ୍ତି। ତେବେ ସ୍କୁଲ ଓ ହଷ୍ଟେଲ ଗୃହ, ରାସ୍ତା ନିର୍ମାଣ, କ୍ଲବଗୃହ, ନଳକୂପ ଖନନ, ପୋଲ ଓ ବ୍ରିଜ ନିର୍ମାଣ ପ୍ରଭୁତି କାର୍ଯ୍ୟରେ ଏମ୍‌ଏଲ୍‌ଏ ଲ୍ୟାଡ ପାଣ୍ଠି କାମକୁ ଆସିଥାଏ। ହେଲେ ଏଠାରେ ଜାଣିଶୁଣି ଜଣେ କର୍ମୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସାମୁହିକ ସ୍ବାର୍ଥକୁ ଜଳାଞ୍ଜଳି ଦିଆଯାଇଥିବା ଅଭିଯୋଗ ହୋଇଛି।

Share