ବ୍ୟକ୍ତିର ବିକାଶ ପାଇଁ ମିତବ୍ୟୟିତା ଅପରିହାର୍ଯ୍ୟ

ସୋନପୁର,୩୦।୧୦(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆମ୍ବେଡକର ଛକରୁ ବାହାରି ସହର ପରିକ୍ରମା କରିଥିଲା। ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବ୍ୟକ୍ତିର ଆର୍ଥିକ ବିକାଶ ପାଇଁ ମିତବ୍ୟୟିତା ଏକାନ୍ତ ଅପରିହାର୍ଯ୍ୟ। ଅନାବଶ୍ୟକ ଖର୍ଚ୍ଚକୁ ଯଥା ସମ୍ଭବ କମାଇ ବଳକା ଅର୍ଥକୁ ସୁରକ୍ଷିତ ଭାବେ ସଞ୍ଚୟ କଲେ ତାହା ଅର୍ଥନୈତିକ ଅଭିବୃଦ୍ଧିର ସହାୟକ ହୋଇଥାଏ। ଏ ଦୃଷ୍ଟିରୁ ଡାକଘର ତଥା ବ୍ୟାଙ୍କ ମାଧ୍ୟମରେ ପ୍ରଚଳିତ ସ୍ବଳ୍ପ ସଞ୍ଚୟ ଯୋଜନା ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ବହନ କରେ। ଏଠାରେ ସଞ୍ଚିତ ଜମାରାଶି ସମ୍ପୂର୍ଣ୍ଣ ସୁରକ୍ଷିତ ତଥା ନିରାପଦ ଅଟେ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା। ସମ୍ମାନିତ ଅତିଥିଭାବେ ଜିଲା କ୍ରୀଡା ଅଧିକାରୀ ଶରତ ଚନ୍ଦ୍ର ନନ୍ଦ, ଜିଲା ସଂସ୍କୃତି ଅଧିକାରୀ ଆର୍ତ୍ତତ୍ରାଣ ଥାଟି, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଓ ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ଯୋଗଦେଇ ସ୍ବଳ୍ପ ସଞ୍ଚୟ ଯୋଜନାରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଆର୍ଥିକ ଅବସ୍ଥାକୁ ସୁରକ୍ଷିତ କରିବା ସଙ୍ଗେସଙ୍ଗେ ରାଜ୍ୟ ଓ ଦେଶର ଅର୍ଥନୈତିକ ପ୍ରଗତିରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲାସ୍ତରୀୟ ଜିଲା ସଞ୍ଚୟ ଅଧିବେଶନ ଟାଉନ ହଲରେ ଅନୁଷ୍ଠିତ ହୋଇଥିଲା। ସ୍ବଳ୍ପ ସଞ୍ଚୟର ଅଭିବୃଦ୍ଧି ପାଇଁ ଅଧିକାରୀ ବୃନ୍ଦ ଗୁରୁତ୍ୱାରୋପ କରିଥିଲେ। ଜିଲାର ବିଭିନ୍ନ ବ୍ଲକର ଡାକ ବିଭାଗର ଏଜେଣ୍ଟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Share