ବ୍ୟବଚ୍ଛେଦ ଗୃହରୁ ଚିକିତ୍ସା ଲାଗି ମୃତଦେହ ନେଇଗଲେ

ଆସିକା,୩୧ା୮(ଡି.ଏନ.ଏ.)-ଆସିକା ଥାନା କର୍ପୂରନୂଆଗଁା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକ ଗୁରୁତର ହୋଇଥିଲେ। ଆହତ ଜଣକ ସେହି ଗ୍ରାମର ଜିଲୁ ପଟ୍ଟନାୟକ। ଜିଲୁ ଏକ କଟରକୁ ବିଦ୍ୟୁତ୍‌ ସଂଯୋଗ କରୁଥିବାବେଳେ ବିଦ୍ୟୁତ୍‌ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପିତା ଯୋଗେନ୍ଦ୍ର ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ଆସିକା ଥାନାରେ ନଂ.୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ ମୃତଦେହ ବ୍ୟବଛେଦ ଲାଗି ପୋଷ୍ଟମର୍ଟମ ରୁମ୍‌କୁ ନିଆଯାଇଥିଲା। ତେବେ ମୃତକଙ୍କ ସମ୍ପର୍କୀୟ ଜିଲୁ ବିଞ୍ଚତ୍ଥିବା ସନ୍ଦେହ କରି ସେଠାରୁ ବାଇକରେ ଧରି ବ୍ରହ୍ମପୁର ବଡମେଡିକାଲକୁ ନେଇଯାଇଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ଆସିକା ସରକାରୀ ଡାକ୍ତରଖାନାର ଚିକିତ୍ସାଧିକାରୀ ଡାକ୍ତର ଦୀପକ କୁମାର ସାମନ୍ତରାଙ୍କୁ ପଚାରିବାରୁ ସେ କହିଲେ ଯେ, ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ଡାକ୍ତରଖାନାର ଜଣେ ମହିଳା ଡାକ୍ତର ଦେଖିଥିବାବେଳେ ପରବର୍ତ୍ତୀ ଅବସ୍ଥାରେ ସେ ନିଜେ ଦେଖି ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କ ଆତ୍ମୀୟ ଜୋର୍‌ ଜବରଦସ୍ତ ମୃତଦେହ ନେଇଯାଇଥିଲେ।