ବ୍ୟବଚ୍ଛେଦ ପରେ ପୋତାଗଲା ମୃତ ତିମି

ବ୍ରହ୍ମଗିରି, ୧।୨(ଡି. ଏନ୍‌.ଏ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାନପାଟଣା ସମୁଦ୍ରକୂଳରେ ଲାଗିଥିବା ମୃତ ତିମିର ମୃତଦେହକୁ ଶୁକ୍ରବାର ବ୍ୟବଚ୍ଛେଦ କରାଯିବା ପରେ ପୋତି ଦିଆଯାଇଛି। ବ୍ରହ୍ମଗିରି ମଣ୍ଡଳ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ମଳୟ କୁମାର ମିଶ୍ର ମୃତ ତିମିକୁ ବ୍ୟବଚ୍ଛେଦ କରିଥିଲେ। ପରେ ବନବିଭାଗ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ସମୁଦ୍ର କୂଳରୁ କିଛି ଦୂରରେ ବାଲିରେ ଗାତ ଖୋଳି ତାହାକୁ ପୋତିଥିଲେ। ଏହି ସମୟରେ ବାଲୁଗାଁ ଏସିଏଫ ଶରତ କୁମାର ମିଶ୍ର, ବ୍ରହ୍ମଗିରି ବିଭିଓ ମଳୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମୃତ ତିମି ଯେପରି ବାଲିରେ ଶୀଘ୍ର ନଷ୍ଟ ହୋଇଯିବ ସେଥିଲାଗି ମୃତଦେହ ଉପରେ ବ୍ଲିଚିଂ ପାଉଡର ସମେତ କିଛି ଔଷଧ ସିଞ୍ଚନ କରାଯାଇଛି। ତିମି ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ରେଞ୍ଜ ଅଧିକାରୀ ସାନସ କୁମାର ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ସାନପାଟଣା ସମୁଦ୍ର କୂଳରେ ଗୁରୁବାର ଅପରାହ୍ନରେ ୩୩ ଫୁଟ ଲମ୍ବର ଏକ ତିମି ମାଛ ମରି ଭାସୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ବନ ବିଭାଗକୁ ଜଣାଇଥିଲେ। ତିମିଟି ପଚି ନଷ୍ଟ ହୋଇଯାଇଥିବାବେଳେ ଏହାକୁ ସାତପଡ଼ା ବନବିଭାଗ ଜବତ କରିଥିଲା।

Share