Categories: ଜାତୀୟ

ବ୍ୟବଚ୍ଛେଦ ପୂର୍ବରୁ ଜୀବିତ ହେଲେ ମୃତବ୍ୟକ୍ତି: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରାଞ୍ଚି,୨୭।୫: ଝାଡ଼ଖଣ୍ଡରେ ଚିକିତ୍ସା ଲାଗି ଆସିଥିବା ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ବ୍ୟବଚ୍ଛେଦ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଜୀବିତ ଥିବା ଜଣାପଡ଼ିଥିଲା। ଏଖବର ପ୍ରଚାରିତ ହେବାପରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିବା ସହିତ ଏହାର ରିପୋର୍ଟ ତଲବ କରିଛନ୍ତି। ଚନାହୋ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହା ଘଟିଥିବା କୁହାଯାଉଛି। ଦୋଷୀ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ମୁଖ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋହାରଡଗା ଜିଲାରେ ବାସ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ରାଜେନ୍ଦ୍ର ମେଡିକାଲ ସାଇନ୍ସ୍‌ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ବ୍ୟବଚ୍ଛେଦ ପୂର୍ବରୁ ବ୍ୟକ୍ତି ଜଣକ ଜୀବିତ ଥିବା ଜଣାପଡ଼ିଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସିତ ହେବାର କିଛି ଘଣ୍ଟା ପରେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ରାଜେନ୍ଦ୍ର ମେଡିକାଲ ସାଇନ୍ସ୍‌ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା।

Share