ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ ଏବେ ରୋଜଗାର ହରାଇଛନ୍ତି। ଠେଲାଗାଡ଼ିରେ ଟିଫିନ ବିକ୍ରି କରି ପରିବାର ଚଳାଉଥିବା ବ୍ୟବସାୟୀମାନେ ଦିଗହରା ହୋଇପଡ଼ିଛନ୍ତି। ବଡ଼ ବଡ଼ ହୋଟେଲଗୁଡ଼ିକୁ ପାର୍ସଲ ଦେବା ପାଇଁ ଅନୁମତି ମିଳିଥିବା ବେଳେ ଫୁଟ୍‌ଫାଥ୍‌ରେ ବ୍ୟବସାୟୀମାନେ ଏବେ ଚିନ୍ତାରେ। ଭଦ୍ରକ ସହର ତଥା ଆଖପାଖରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଠେଲାଗାଡ଼ିରେ ଟିଫିନ୍‌ ବ୍ୟବସାୟ କରିଆସୁଥିଲେ। କରୋନା କଟକଣା ଲାଗି ଏମାନଙ୍କୁ ପ୍ରଶାସନିକ ସ୍ତରରେ ଅନୁମତି ଦିଆଯାଉନାହିଁ। ଫଳରେ କିଏ ମାଛ ବିକୁଛି ତ କିଏ ପରିବା ବିକ୍ରି କରୁଛି। ବ୍ୟବସାୟର ଢଙ୍ଗ ବଦଳିଛି ସିନା କିନ୍ତୁ ଉଚିତ୍‌ ଲାଭ ମିଳୁ ନ ଥିବାରୁ ଆତ୍ମସନ୍ତୋଷ ମିଳୁନି। ଦୀର୍ଘବର୍ଷ ଧରି ରାସ୍ତାକଡ଼ରେ ଉଠାଦୋକାନୀ ଭାବେ ବ୍ୟବସାୟ କରି ଆସୁଥିଲେ ମଧ୍ୟ ସରକାରଙ୍କ ଏମାନଙ୍କୁ ପ୍ରୋତ୍ସାହନ ରାଶି ମିଳିନାହିଁ। ଏଭଳି ଜଣେ ବ୍ୟବସାୟୀ ହେଲେ ଗଞ୍ଜେଇବାଡ଼ି ଜଗନ୍ନାଥପୁର ଗାଁର ନାରାୟଣ ଚନ୍ଦ୍ର ଘଡ଼େଇ(୩୫)। ସେ ଦୀର୍ଘବର୍ଷ ଧରି ଭଦ୍ରକ ମେଡିକାଲ ଛକ ନିକଟରେ ଠେଲାଗାଡ଼ିରେ ଟିଫିନ୍‌ ଦୋକାନ କରିଆସୁଥିଲେ। ତାଙ୍କ ଭାଇ ଲକ୍ଷ୍ମୀକାନ୍ତ ଘଡ଼େଇ ମଧ୍ୟ ସହଯୋଗ କରୁଥିଲେ। ଏହି ଦୋକାନ ବନ୍ଦ କାରଣରୁ ନାରାୟଣ ଏବେ ବନ୍ତ ଛକ ନିକଟରେ ପରିବା ବିକୁଛନ୍ତି। ନାରାୟଣଙ୍କ ହାତରନ୍ଧା ଟିଫିନ୍‌ ଖାଇବା ପାଇଁ ୫ଶହରୁ ଊର୍ଦ୍ଧ୍ୱ ଲୋକ ଦୈନିକ ଅପେକ୍ଷା କରୁଥିଲେ। ସାନଭାଇ ଲକ୍ଷ୍ମୀକାନ୍ତ ଦୋଳସାହିରେ ଜଣେ ପରିବା ଦୋକାନୀଙ୍କ ନିକଟରେ ହିସାବରକ୍ଷକ ଭାବେ କାମ କରୁଛନ୍ତି। ଏହି ଦୁଇଭାଇଙ୍କ ଭଳି ଅନ୍ୟମାନେ ହତାଶ ହୋଇପଡିଛନ୍ତି। ଜିଲା ପ୍ରଶାସନ ଏଭଳି ବ୍ୟବସାୟୀଙ୍କ ଦୁଃଖ ବୁଝିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ଶ୍ରମିକନେତା ଦିବ୍ୟସିଂହ ନାୟକ ଦାବି କରିଛନ୍ତି।

Share