ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା: ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀ ଫେରାର; ୨ କାର୍‌, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୮।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ସିଆର୍‌ପି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କେତେଜଣ ଦୁର୍ବୃତ୍ତ ଦୁଇଟି କାର୍‌ରେ ବ୍ୟବସାୟୀଙ୍କୁ ଅପହରଣ କରି ନେଉଥିବା ବେଳେ ବାଣୀବିହାର ଓଭରବ୍ରିଜ ନିକଟରେ ସେମାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଠାରେ ପୋଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ କାର୍‌ ଛାଡ଼ି ଫେରାର ହୋଇଯାଇଥିଲେ। ମାତ୍ର ପୋଲିସ ବ୍ୟବସାୟୀ ଶିବ ଶୁନ୍ଦର ଦାସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ଏଥିସହ ଦୁର୍ବୃତ୍ତ ଛାଡ଼ି ପଳାଇଥିବା ଗାଡ଼ିଗୁଡ଼ିକୁ ଜବତ କରିଥିଲା। ସେଥିରୁ ୨ଟି ବନ୍ଧୁକ ସହ ମାରଣାସ୍ତ୍ର ଜବତ ହୋଇଛି। ଏ ନେଇ ଶିବ ସୁନ୍ଦର ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ବ୍ୟବସାୟୀକ ଶତ୍ରୁତାକୁ ନେଇ ଶିବ ସୁନ୍ଦର ଓ ତାଙ୍କର ଜଣେ ସମ୍ପର୍କୀୟଙ୍କ ମଧ୍ୟରେ କିଛି ଦିନ ଧରି ତିକ୍ତତା ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଘର ସମ୍ମୁଖରୁ ଶିବ ସୁନ୍ଦରଙ୍କୁ ଜୋର ଜବରଦସ୍ତ କାର୍‌ରେ ପୂରାଇ ଅପହରଣ କରି ନେଉଥିଲେ। ମାତ୍ର ବାଣୀବିହାର ଓଭରବ୍ରିଜ୍‌ ଉପରେ ପିସିଆର୍‌ ଭ୍ୟାନ ଛିଡ଼ା ହୋଇଥିବା ଦେଖି ସେମାନେ ଗାଡ଼ିର ବେଗ ବଢ଼ାଇଥିଲେ। ଫଳରେ ସେଠାରେ ସିରିଜ୍‌ ଦୁର୍ଘଟଣା ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅପହରଣକାରୀ ସେଠାରୁ ଫେରାର ହୋଇଯାଇଥିଲେ।

Share