ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇ ପଳାଇଲେ  ଲୁଟେରା। ଖବର ଅନୁଯାୟୀ, ଗୁରୁବାର ରାତିରେ ଡିମ୍ବୋ ଗ୍ରାମର ଦିଲୀପ କୁମାର ବେହେରା ସିମେଣ୍ଟ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଏହି ଘଟଣା ଘଟିଛ। ଏହି ସମୟରେ ସାଇମନ୍ଦିର ନିକଟସ୍ଥ ରେଲୱେ ଓଭରବ୍ରିଜ ପାଖରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ପଲସରରେ ଦୁଇଜଣ ଯୁବକ ଆସି ବନ୍ଧୁକ ଦେଖାଇ ଦିଲୀପଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ବନ୍ଧୁକ ଦେଖି ସେ ଭୟଭୀତ ହୋଇ ମଟରସାଇକେଲଟିକୁ ଅଟକାଇଥିଲେ। ଜଣେ ଯୁବକ ଦିଲୀପଙ୍କ ପେଟରେ ଏକ ଧାରୁଆ ଅସ୍ତ୍ର ଲଗାଇବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ। ସେ ଟଙ୍କା ନାହିଁ କହିବାରୁ ଜୋର ଜବରଦସ୍ତି ପାଖରେ ଥିବା ୧୫ହଜାର ଟଙ୍କା ସହ ମୋବାଇଲ ଛଡ଼ାଇ ନେଇଥିଲେ।  ପରେ ଦିଲୀପଙ୍କ ହାତ ଓ ପେଟକୁ ଧାରୁଆ ଅସ୍ତ୍ରରେ ଆଘାତ ଦେଇ ଘଟଣାସ୍ଥଳରୁ ଲୁଟେରାମାନେ ଦୃତଗତିରେ ପାଟଣା ରାସ୍ତାରେ ପଳାଇଥିଲେ।  ଦିଲୀପଙ୍କ ପଛରେ ଥିବା ଗ୍ରାମର ବ୍ୟବସାୟୀମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାର ଜଣାପଡ଼ିଛି । ଚିକିତ୍ସା ପରେ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଟାଉନ ଥାନାଧିକାରୀ ସୋମନାଥ ଜେନା କହିଛନ୍ତି।