ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୪ ଗିରଫ

ବ୍ରହ୍ମପୁର ଅଫିସ,୨୩ା୯-ପୂର୍ବଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳା ଦାସ, ମନୋଜ ଦାସ, କାଳିଆ ଦାସ ଓ ଧୀରେନ୍ଦ୍ର ଦାସ। ମାମଲା ନଂ.୨୪୪/୧୯ରେ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରଯାଇଛି। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଘଟଣାରୁ ପ୍ରକାଶ, ନିମଖଣ୍ଡିର ଗୋପାଳ ସାହୁ ଏକ ଖାଲି ଫ୍ୟାକ୍ଟ୍ରି କରିଛନ୍ତି। ସେ ଶନିବାର ରାତି ପ୍ରାୟ ୧୦ଟାରେ ନିମଖଣ୍ଡି ଛକରେ ଥିବା ଏକ ଫାଷ୍ଟ ଫୁଡ଼ ଦୋକାନ ନିକଟରେ ଛିଡା ହୋଇଥିଲେ। ସେଠାରେ ପୂର୍ବରୁ ଛିଡା ହୋଇଥିବା କେତେକ ଯୁବକ ଗୋପାଳଙ୍କ ସହ କୌଣସି କାରଣକୁ କେନ୍ଦ୍ର କରି ଝଗଡା କରିଥିଲେ। ପରେ ଯୁବକମାନେ ବିଭିନ୍ନ ମାରଣାସ୍ତ୍ରରେ ଗୋପାଳଙ୍କୁ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୋପାଳଙ୍କୁ ଏଭଳି ଆକ୍ରମଣ କରାଯାଇଥିବା ପୋଲିସ କହିଛି।