ବ୍ୟବସାୟୀଙ୍କ କ୍ଷତି ଟପିବ ୧ ହଜାର କୋଟି: ବଜାର ସ୍ଥିତି ବିଗାଡୁଛି କରୋନା

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା(କୋଭିଡ-୧୯)ର ପ୍ରକୋପ ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଛି। ଏଥିଯୋଗୁ ବିଶ୍ୱ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହି ରୋଗ କେବଳ ମଣିଷ ସ୍ବାସ୍ଥ୍ୟକୁ ଯେ ଗ୍ରାସ କରୁଛି ତାହା ନୁହେଁ, ରାଜ୍ୟର ସାମାଜିକ ଏବଂ ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ଦୋହଲାଇ ଦେଇଛି। ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ ମାଲିକମାନେ ମଧ୍ୟ ହତାଶ ହୋଇ ପଡିଛନ୍ତିି। ଜରୁରୀ ସାମଗ୍ରୀକୁ ଛାଡି ଦେଲେ ବଜାରର ଅନ୍ୟ ସମସ୍ତ ବ୍ୟବସାୟ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ପ୍ରାୟ ୧ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରାଯାଇଛି। କରୋନା ଗୁଜବ ଯୋଗୁ କୁକୁଡା ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଗୁଜବ ପ୍ରଚାର ହେବା ଯୋଗୁ ଚିକେନ, ଅଣ୍ଡା ବିକ୍ରି ୬୦ ପ୍ରତିଶତ ତଳକୁ ଖସିଯାଇଛି। ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ଲୋକମାନଙ୍କ ମନରୁ ଚିକେନ ପ୍ରତି ଭୟ ଦୂର କରିବାକୁ ଚେଷ୍ଟା କଲେ ମଧ୍ୟ ବ୍ୟବସାୟରେ ସେତେଟା ଉନ୍ନତି ପରିଲକ୍ଷିତ ହେଉ ନାହିଁ ବୋଲି ଚିକେନ ବ୍ୟବସାୟୀ ବାବୁ ଖାନ କହିଛନ୍ତି। କରୋନା ଯୋଗୁ ସମଗ୍ର ରାଜ୍ୟରେ କୁକୁଡା ଚାଷୀ ଓ ଚିକେନ ବ୍ୟବସାୟୀଙ୍କର ପ୍ରାୟ ୩ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ କ୍ଷତି ହେଲାଣି। ଏଭଳି ପରିସ୍ଥିିତି ଜାରି ରହିଲେ କ୍ଷତି ଆହୁରି ବଢିବ ବୋଲି ଆଶଙ୍କା କରାଯାଇଛି। ବଡ ବଡ ମଲ୍‌, ସିନେମା ହଲ୍‌, ରେସ୍ତୋରାଁ ବନ୍ଦ କରିବାକୁ ସରକାର ଘୋଷଣା କରିଛନ୍ତି। ଏସବୁ ଉପରେ ନିର୍ଭର କରିଥିବା ମାଲିକ ଓ କର୍ମଚାରୀ ନିଜର ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇ ପଡିଛନ୍ତି। ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ କେମିତି ଉଠାଇବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଛୋଟ ଜଳଖିଆ ଓ ଫାଷ୍ଟ ଫୁଡ ବ୍ୟବସାୟୀ ମଧ୍ୟ କରୋନା ଯୋଗୁ କ୍ଷତି ସହିବା ଆରମ୍ଭ କରିଛନ୍ତି। ଲୋକମାନେ ଫାଷ୍ଟ ଫୁଡ ଖାଇବାକୁ ଭୟ କରୁଛନ୍ତି। ଏ ସବୁ ବ୍ୟବସାୟ ୪୦ରୁ ୫୦ ପ୍ରତିଶତ କମିଥିବା ବ୍ୟବସାୟୀମାନେ କହୁଛନ୍ତି। ବିମାନ ସେବା ବନ୍ଦ ହେବା ଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି। ଟୁର୍‌ ଅପରେଟର ଏବଂ ହୋଟେଲ ମାଲିକମାନେ କ୍ଷତି ସହୁଛନ୍ତି। ଗତ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟକୁ ୪୦ ପ୍ରତିଶତ ଘରୋଇ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି।

Share