ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟ୍‌: ସୁନାରୂପା ଗହଣା ସହ ୧୮ ହଜାର ନେଇଗଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଭଣ୍ଡାରିପୋଖରୀ,୨୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବାରିକପୁର ବଜାର ରାସ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ସୋମବାର ରାତିରେ ଲୁଟ ହୋଇଛି। ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ନିଜର ସୁନା ଦୋକାନ ବନ୍ଦ କରି ଅଳଙ୍କାର ସମେତ ନଗଦ ଟଙ୍କା ବାଇକ୍‌ ଡିକିରେ ରଖି ଘରକୁ ଆସୁଥିଲେ। କିଛି କିଣାକିଣି କରିବା ଥିବାରୁ ସେ ବାରିକପୁର ବଜାରକୁ ଯାଇଥିଲେ। ଏହି ସମୟରେ ଦୁଇ ଜଣ ଲୁଟେରା ଏକ ବାଇକ୍‌ରେ ଆସି ପ୍ରଫୁଲ୍ଲଙ୍କ ଗାଡ଼ି ଡିକି ଭାଙ୍ଗି ୩ କିଗ୍ରା ରୂପା ଅଳଙ୍କାର, ୪୦ ଗ୍ରାମ ସୁନା ଅଳଙ୍କାର ସମେତ ନଗଦ ୧୮ହଜାର ଟଙ୍କା ନେଇ ପଳାଇଥିଲେ। ଏନେଇ ପ୍ରଫୁଲ୍ଲ ଧାମନଗର ଥାନାରେ ଜଣାଇବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।