ବ୍ୟବହୃତ ରନ୍ଧନ ତୈଳର ପୁନର୍ବ୍ୟବହାର ନେଇ ସଚେତନତା

ପୁରୀ ଅଫିସ,୨ା୧୦: ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାକୁ ପୁନଃବ୍ୟବହାର କରିବା ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ। ତେବେ ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି। ତେଣୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବୁଧବାର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ତତ୍ତ୍ବାବଧାନରେ ପୁରୀରେ ୪ଟି ଗାଡ଼ିି ଗଡ଼ିଛି। ବଡ଼ଦାଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ତୈଳ ନିଗମର ଓଡ଼ିଶା ଓ ଝାଡ଼ଖଣ୍ଡ ଷ୍ଟେଟ୍‌ ରିଟେଲ ହେଡ୍‌ ଦେବାଶିଷ ପାଲିତ ଏହି ଗାଡ଼ିିଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ପରିବାର ଏବଂ ବିଜ୍‌ନେସ ଅପରେଟରମାନଙ୍କୁ ସୁସ୍ଥ ଭାରତ ଦିଗରେ ଆଗେଇବା ପାଇଁ ସଚେତନ କରାଯିବ। ପାଲିତ କହିଛନ୍ତି, ବ୍ୟବହୃତ ରନ୍ଧନ ତେଲରେ ସଫା ତେଲ ପକାଇ ଏହାକୁ ବାରମ୍ବାର ବ୍ୟବହାର କରାଯାଏ। ବେଳେ ବେଳେ ଏହି ପୋଡ଼ା ତେଲକୁ ରାସ୍ତାକଡ଼ର ବ୍ୟବସାୟୀ କିମ୍ବା ଘରୋଇ ଲୋକେ ସ୍ବେରେଜ ଓ ଡ୍ରେନରେ ପକାଇ ଦିଅନ୍ତି, ଯାହା ପରିବେଶକୁ ଦୂଷିତ କରେ। ଅନ୍ୟପକ୍ଷରେ ତେଲରେ ଟୋଟାଲ ପୋଲାର କମ୍ପାଉଣ୍ଡ (ଟିପିସି)ର ମାତ୍ରା ୨୫ପ୍ରତିଶତରୁ ଅଧିକ ହେଲେ ଏହା ଖାଦ୍ୟ ଉପଯୋଗୀ ହୋଇ ନ ଥାଏ। ଖାଦ୍ୟରେ ଟିପିସିର ମାତ୍ରା ଅଧିକ ହେଲେ ଏହା ଉଚ୍ଚ ରକ୍ତଚାପ, ଧମନୀ, କୋଷ୍ଠ କାଠିନ୍ୟ ଓ ଯକୃତ ଜନିତ ରୋଗ ଆଦିର କାରଣ ହୋଇପାରେ। ବ୍ୟବହୃତ ରନ୍ଧନ ତୈଳ ବାୟୋ ଡିଜେଲ ଉତ୍ପାଦନ ପାଇଁ ଏକ ପ୍ରମୁଖ କଞ୍ଚାମାଲ। ତେଣୁ ଏହାକୁ ବାୟୋ ଡିଜେଲ ଉତ୍ପାଦନରେ ବ୍ୟବହାର କରିବା ଲାଗି ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଲୋକଙ୍କୁ ପ୍ରଥମେ ସଚେତନ କରାଯାଉଛି, ପରେ ଏହାକୁ ସଂଗ୍ରହ କରାଯିବ। କାର୍ଯ୍ୟକ୍ରମରେ ଭାରତ ପେଟ୍ରୋଲିୟମ୍‌ ଏଲ୍‌ପିଜିର ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ସଞ୍ଜୟ ଶର୍ମା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ରାଜ୍ୟ ସଂଯୋଜକ ଅନ୍‌ମୋଲ ବାରା ପ୍ରମୁଖ ଉପସ୍ଥିତ ଥିଲେ।

Share