ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କ,୩୧ା୧୨(ଡି.ଏନ୍‌.ଏ.): ଓଡ଼ିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାର ଆବଶ୍ୟକତା ରହିଛି। ପୁରୀ, କୋଣାର୍କ, ଚିଲିକା ଆଦି ଅଞ୍ଚଳକୁ ମିଶାଇ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ବନାଇବା ଦିଗରେ ସମସ୍ତେ ଉଦ୍ୟମ କରନ୍ତୁ। ଏହି କ୍ଷେତ୍ରର ବିକାଶ ହିଁ ରାଜ୍ୟର ଦ୍ରୁତ ପ୍ରଗତି ଆଣିବ ବୋଲି ସୋମବାର କୋଣାର୍କ ସ୍ଥିତ ବ୍ୟାଖ୍ୟାନ କେନ୍ଦ୍ର (ଇଣ୍ଟରପ୍ରିଟେସନ ସେଣ୍ଟର୍‌) ବୁଲି ଦେଖିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଇଣ୍ଡିଆନ ଅଏଲ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ଇଣ୍ଡିଆନ ଅଏଲ ଫାଉଣ୍ଡେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ କୁମାର ବର୍ମା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ସେହିଭଳି କାକଟପୁର ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ କୋଣାର୍କ ଥାନା ଛକଠାରେ ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ଏହି ଗସ୍ତ ବେଳେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୁରୀ ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲା ଯୁବମୋର୍ଚ୍ଚା ଉପସଭାପତି ପ୍ରଦୀପ୍ତ ଛାଟୋଇ, ଭାଜପା ନେତା ସୁକାନ୍ତ ନାୟକ, ରାଜ୍ୟ ଭାଜପା ସମ୍ପାଦିକା ରାଜଲକ୍ଷ୍ମୀ ଦାଶ, ନୟାହାଟ ଭାଜପା ମଣ୍ଡଳ ସମ୍ପାଦକ ଜୟନ୍ତ ସେଠ, ଆଶାଲତା ରାଉତରାୟ, ରଣଜିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। କୋଣାର୍କ ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।