ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ଅଡୁଆ ପରିସ୍ଥିତି:କାର୍ଯ୍ୟକାରୀ ହେଲାନି ହାଇକୋର୍ଟ ଆଦେଶ

କଟକ ଅଫିସ,୧୬।୭: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ୨୦୧୩ ଜାନୁୟାରୀ ୨୧ରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତଦନୁଯାୟୀ ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବସତି ସ୍ଥାପନ କରିଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସରକାର ଆଦେଶନାମା ଜାରି କରିଥିଲେ। ତେବେ ସ୍ଥାନାନ୍ତର ବଦଳରେ ଯୋଗ୍ୟ ହିତାଧିକାରୀମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ସରକାର ଘୋଷଣାନାମାରେ ଉଲ୍ଲେଖ କରିଥିଲେ। ଏଥିପାଇଁ ଏକ ଆବେଦନପତ୍ର ମଧ୍ୟ ସରକାର ପ୍ରସ୍ତୁତ କରିଥିଲେ। କିନ୍ତୁ ଏହି କ୍ଷତିପୂରଣ ଦେବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଥିଲେ। ଫଳରେ ବିସ୍ଥାପିତ ହେବାକୁ ଥିବା ଲୋକେ ଏ ସମ୍ପର୍କରେ ଜିଲାପାଳ, ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ୨୯ ଜଣ ବିସ୍ଥାପିତ ପରିବାର ୨୦୧୮ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଗତ ଫେବୃୟାରୀରେ ସରକାରଙ୍କୁ ଆଦେଶନାମା ଜାରି କରିଥିଲେ। ଏହି ଆଦେଶନାମା ଅନୁଯାୟୀ ବିସ୍ଥାପିତମାନଙ୍କୁ ନିୟମାବଳୀ ଅନୁଯାୟୀ ୬ ସପ୍ତାହ ମଧ୍ୟରେ ଥଇଥାନ କରିବାକୁ କୁହାଯାଇଥିଲା। କିନ୍ତୁ ଇତିମଧ୍ୟରେ ଅନେକ ଦିନ ବିତିଗଲାଣି। ମାତ୍ର ବିସ୍ଥାପିତଙ୍କ କ୍ଷେତ୍ରରେ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି। ଅନ୍ୟପକ୍ଷରେ ବାଘ ସୁନ୍ଦରୀର ଆତଙ୍କ ସମୟରେ ସ୍ଥାନୀୟ ପ୍ରଶାସନ ଜୋରଜବରଦସ୍ତ ସଂରକ୍ଷିତ ଅଞ୍ଚଳ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ଘର ଭାଙ୍ଗି ଦେଇଥିଲା। ତେଣୁ ବାସହରାମାନେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତେଣୁ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରା ନ ଯିବାରୁ ପୁନର୍ବାର ବିସ୍ଥାପିତମାନେ କୋର୍ଟ ଆଦେଶ ଅବମାନନା ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଥିବା ଆଡଭୋକେଟ ନିରଞ୍ଜନ ହୋତା କହିଛନ୍ତି।

Share