Categories: ଜାତୀୟ

ବ୍ୟାଙ୍କକ-ଥାଇଲାଣ୍ଡରୁ ମୋ ପାଇଁ ଗାଳି ଇମ୍ପୋର୍ଟ କରିପାର କିନ୍ତୁ ଦେଶକୁ ବିରୋଧ କର ନାହିଁ: ମୋଦି

ଚଣ୍ଡିଗଡ଼,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହରିୟାଣା ଗସ୍ତ କରିଛନ୍ତି। ହରିୟାଣାର ଚରଖି-ଦାଦରିରେ ଜନସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ନିର୍ବାଚନ ରାଲି ପାଇଁ ମୁଁ ଏଠାକୁ ଆସେନାହିଁ, ଏହି ସ୍ଥାନ ମୋତେ ଆପେ ଆପେ ଟାଣି ନେଇ ଆସେ। ମୁଁ ଏଠାକୁ ଜନସାଧାରଣଙ୍କଠାରୁ ଆଶୀର୍ବାଦ ନେବାକୁ ଓ ପ୍ରଣାମ କରିବାକୁ ଆସିଛି। ଏଠାକୁ ଆସିଲେ ସକାରାତ୍ମକ ଭାବନା ଜାଗୃତ ହୋଇଥାଏ ବୋଲି ମୋଦି କହିଛନ୍ତି। ଅନ୍ୟପଟେ ଅନୁଚ୍ଛେଦ ୩୭୦ ପ୍ରସଙ୍ଗକୁ ନେଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କଂଗ୍ରେସ ନେତାଙ୍କୁ ଚେତାବନୀ ଦେଇ କହିଛନ୍ତି, ମୋତେ ଯାହା ବି କହିବାର ଅଛି କୁହ, ବ୍ୟାଙ୍କକ-ଥାଇଲାଣ୍ଡରୁ ଗାଳି ବି ଇମ୍ପୋର୍ଟ କର। କିନ୍ତୁ ରାଷ୍ଟ୍ରହିତ ପାଇଁ ନିଆଯାଉଥିବା ନିଷ୍ପତ୍ତିକୁ ବିରୋଧ କର ନାହିଁ ଏବଂ ଦେଶ ପିଠିରେ ଛୁରା ମାଡ଼ କରନାହିଁ ବୋଲି ସେ କହିଛନ୍ତି। ସମଗ୍ର ଦେଶ ଆଜି ଜମ୍ମୁ-କଶ୍ମୀର ଓ ଲଦାଖ ସହ ଠିଆ ହୋଇଛି। କିନ୍ତୁ କଂଗ୍ରେସର କିଛି ନେତା ଦେଶ ଓ ବିଶ୍ୱରେ ଏହି ନିଷ୍ପତ୍ତିକୁ ନେଇ ମିଥ୍ୟା ଗୁଜବ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share