Categories: ବାଣିଜ୍ୟ

ବ୍ୟାଙ୍କଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ,୪-୨
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଦେଶର ବିଭିନ୍ନ ବ୍ୟାଙ୍କ ଏବଂ ବଚ୍ଛାବଚ୍ଛା ବିତ୍ତ ପ୍ରତିଷ୍ଠାନଗୁଡିକରେ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଥିବା ରିପୋର୍ଟ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ସୋମବାର ଏ ନେଇ ସଂସଦକୁ ସୂଚନା ଦେଇଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବଡ ଧରଣର ଠକେଇ ରୋକିବା ଲାଗି ସରକାର ୨୦୧୫ରେ ଏକ ନିୟମ ଜାରି କରିଛନ୍ତି। ଏହା ଦ୍ୱାରା ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସଂଦିଗ୍ଧ ଠକେଇକୁ ଠିକ୍‌ ସମୟରେ ପତ୍ତା ଲଗାଇବା, ଏହାର ରିପୋର୍ଟ କରିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବ୍ୟାଙ୍କଗୁଡିକରେ ଢାଞ୍ଚାଗତ ଏବଂ ପ୍ରକ୍ରିୟାଗତ ସଂସ୍କାର ପ୍ରକ୍ରିୟା ହାତକୁ ନିଆଯାଇଛି।
ସେ, ଆହୁରି ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଏନ୍‌ପିଏକୁ ନିୟନ୍ତ୍ରଣ କରିବା ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଉଛି। ସୂଚନା ଯୋଗ୍ୟ ବ୍ୟାଙ୍କଗୁଡିକରେ ଲଗାତର ଠକେଇ ବଢୁଥିବା ସାମ୍ନାକୁ ଆସିଛି। ୨୦୧୬-୧୭ରେ ବ୍ୟାଙ୍କଠକେଇରେ ଅର୍ଥର ପରିମାଣ ୨୩,୯୩୪ କୋଟି ଟଙ୍କା ରହିଥିଲା। ଏହା ପରବର୍ଷଠାରୁ ଏହି ଧାରାରେ ବିରାମ ଲାଗିନାହିଁ। ସେହିଭଳି ୨୦୧୭-୧୮ରେ ଏଥିରେ ବୃଦ୍ଧି ଘଟି ୪୧,୧୬୭ କୋଟି, ୨୦୧୮-୧୯ରେ ୭୧,୫୪୩ କୋଟି ଏବଂ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ଏହା ୧,୧୩,୩୭୪ କୋଟି ଟଙ୍କାକୁ ବଢିଛି।
ସୀତାରାମନ କହିଛନ୍ତି , ଏନପିଏ ଚିହ୍ନଟ ଲାଗି କୌଶଳ, ସଂସ୍କାର ଧାରା, ବ୍ୟାଙ୍କଗୁଡିକୁ ପୁନଃପୁଞ୍ଜି ଯୋଗାଣ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏନ୍‌ପିଏ ଅସୁଲି ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁ ସେପ୍ଟେମ୍ବର ୩୦ ବ୍ୟାଙ୍କଗୁଡିକରେ ଏନ୍‌ପିଏ ୭.୨୭ ଲକ୍ଷ କୋଟି ଟଙ୍କାକୁ ଖସିଥିବା ସେ ସୂଚନା ଦେଇଛନ୍ତି। ଆର୍‌ବିଆଇ ଡାଟା ମୁତାବକ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଏନପିଏ ପରିମାଣ ୨୦୧୫ ମାର୍ଚ୍ଚରେ ୨.୭୯ ଲକ୍ଷ କୋଟି ଟଙ୍କା ରହିଥିଲା। ଏହା ୨୦୧୭ ମାର୍ଚ୍ଚରେ ୬.୮୪ ଲକ୍ଷ କୋଟି ଏବଂ ୨୦୧୮ ମାର୍ଚ୍ଚ ଶେଷ ସୁଦ୍ଧା ୮.୯୫ ଲକ୍ଷ କୋଟି ଟଙ୍କାକୁ ବଢିଥିଲା ବୋଲିଡାଟାରୁ ଜଣାପଡିଛି।

Share