Categories: ବାଣିଜ୍ୟ

ବ୍ୟାଙ୍କଗୁଡିକୁ ଶକ୍ତିକାନ୍ତଙ୍କ ଆହ୍ବାନ: ଚ୍ୟାଲେଞ୍ଜିଂ ସ୍ଥିତିର ସାମ୍ନା ଲାଗି ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ,୧୩-୧୨: ବର୍ତ୍ତମାନର ଆର୍ଥତ୍କ ସ୍ଥିତି ଦେଶର ବ୍ୟାଙ୍କଗୁଡିକ ଲାଗି ବିଭିନ୍ନ ଚ୍ୟାଲେଞ୍ଜିଂ ସ୍ଥିତି ଆଣିପାରେ। ଏହାକୁ ସାମ୍ନା କରିବା ଲାଗି ବ୍ୟାଙ୍କଗୁଡିକ ନିଜକୁ ପ୍ରସ୍ତୁତ କରି ରଖିବା ଆବଶ୍ୟକ। ବୁଧବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମୁଖ୍ୟଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ ଭେଟିବା ସହ ଏଭଳି ଆହ୍ବାନ ଦେଇଛନ୍ତି। ଦେଶର ବ୍ୟାଙ୍କିଙ୍ଗ ଶିଳ୍ପରେ ଉନ୍ନତି ହେଉଥିବା ସେ ମତ ରଖିଛନ୍ତି। ଭାରତର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଥିବା ବେଳେ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ବିକାଶ ଅନୁମାନକୁ ୫%କୁ ଖସାଇଛି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡିଛି। ମିଳିତ ହୋଇ ଚାପଗ୍ରସ୍ତ ସମ୍ପତ୍ତିର ସମାଧାନ ଧାରାକୁ ତ୍ୱରାନ୍ବିତ କରିବା ଲାଗି ସେ ବ୍ୟାଙ୍କଗୁଡିକୁ କହିଛନ୍ତି। ସୁଧହାର ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ଉପରେ ସେ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ୨୦୧୯ରେ ରିଜର୍ଭ ବ୍ୟାଙ୍କ ୧.୩୫% ସୁଧହାର ହ୍ରାସ କରିଥିବା ବେଳେ ବ୍ୟାଙ୍କଗୁଡିକ କିନ୍ତୁ ବହୁ କମ୍‌ ପରିମାଣର ଲାଭ ଗ୍ରାହକଙ୍କୁ ଦେଇଛନ୍ତି। ଏହାବାଦ ଅର୍ଥନୀତିକୁ ଋଣ ଯୋଗାଣ ଧାରାରେ ଉନ୍ନତି, ଅଣ ବ୍ୟାଙ୍କ ଋଣ ଗ୍ରହୀତା ଏବଂ କ୍ଷୁଦ୍ର ବାଣିଜ୍ୟ, ଡିଜିଟାଲ ନେଣଦେଣ ଭଳି ପ୍ରସଙ୍ଗ ଉପରେ ବୈଠକ ଆଲୋଚନା ହୋଇଛି।

Share