ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବ୍ୟାଙ୍କର ଗ୍ରୀଲ୍‌ ତାଡିଥିଲେ। ଏହାପରେ ସେଠାରେ ଥିବା କବାଟ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ବ୍ୟାଙ୍କର ଲକର ରୁମ୍‌ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ଲାଗିଥିବା ସାଇରନ ହଠାତ୍‌ ବାଜି ଉଠିବାରୁ ସେମାନେ ପଳାଇ ଯାଇଥିଲେ। ଏ ନେଇ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏହି ଘଟଣାରେ ପୋଲିସ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଅଭିଯୋଗ ଅନୁଯାୟୀ, ଗୁରୁବାର ବ୍ୟାଙ୍କ କାର୍ଯ୍ୟ ସରିବା ପରେ କର୍ତ୍ତୃପକ୍ଷ ତାଲା ପକାଇ ଯାଇଥିଲେ। ଶୁକ୍ରବାର ପୂର୍ବାହ୍ନ ୯ଟାରେ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀ ବ୍ୟାଙ୍କରେ ପହଞ୍ଚିବା ପରେ ଗ୍ରୀଲ ତଡାଯାଇଥିବାବେଳେ ଓ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଜଣାଇବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ୟାଙ୍କ ଭିତରେ ଥିବା କାଗଜପତ୍ର ତଳେ ପଡିଥିଲା। ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେଠାରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରୁ ପୂରା ଘଟଣା ସମ୍ପର୍କରେ ଜଣାପଡିଥିଲା। ୪ ଦୁର୍ବୃତ୍ତ ପ୍ରଥମେ ଗ୍ରୀଲ ତାଡିବା ପରେ କବାଟର ତାଲା ଭାଙ୍ଗି ରାତି ପ୍ରାୟ ସାଢେ ୨ଟାରେ ବ୍ୟାଙ୍କ ଭିତରକୁ ପଶିଥିଲେ। ବ୍ୟାଙ୍କ୍‌ର ଡ୍ରୟାର ଗୁଡିକ ଦେଖିବା ପରେ ଚାରିଆଡେ ଖୋଜାଖୋଜି କରି କାଗଜପତ୍ର ଖେଳାଇଥିଲେ। ପରେ ବ୍ୟାଙ୍କରେ ଥିବା ଫ୍ରିଜ୍‌ ଖୋଲି ପାଣି ପିଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଟଙ୍କା ଓ ଅଳଙ୍କାର ଥିବା ଲକର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଫଳରେ ସାଇରନ ବାଜିବାରୁ ସେମାନେ ପଳାଇ ଯାଇଥିଲେ। ତେବେ ଏ ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏଥିସହ ପୋଲିସ ବ୍ୟାଙ୍କର ସିସିଟିଭ ଫୁଟେଜ୍‌ ଜବତ କରିଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Share