ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ବିଫଳ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ୍‌ ଟିମ୍‌

ରୂପ୍‌ସା, ୨୫।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିହା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଝରକା ଗ୍ରୀଲ୍‌ ଭାଙ୍ଗି ରବିବାର ରାତିରେ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଥିବା ଜଣାପଡ଼ିଛି। ସୋମବାର ଏହି ଘଟଣା ଜଣାପଡ଼ିବା ପରେ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି, ଆଇଆଇସି ଧନେଶ୍ୱର ସାହୁ, ଏଏସ୍‌ଆଇ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ପହଞ୍ଚତ୍ ଅନୁସନ୍ଧାନ ଜାରି ରଖିଛନ୍ତି। ଶାଖା ପରିଚାଳକ ଶାନ୍ତନୁ ବିଶ୍ୱାଳଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା (ନଂ. ୩୬୯/୧୯) ରୁଜୁ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ର ଅଧିକାରୀମାନେ ସନ୍ଧାନୀ କୁକୁର ସହ ବ୍ୟାଙ୍କରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି।
ବ୍ୟାଙ୍କ ଛାତ ଉପର ଦେଇ ଦୁର୍ବୃତ୍ତମାନେ ପଛପଟ ଝରକା ଗ୍ରୀଲ୍‌ ଭାଙ୍ଗିବା ସହ ଏକ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଷ୍ଟ୍ରଙ୍ଗ୍‌ରୁମ୍‌ର ଆର୍ମଚେଷ୍ଟ ହ୍ୟାଣ୍ଡେଲ୍‌ ଭାଙ୍ଗିଥିଲେ ହେଁ ସେଥିରୁ ଟଙ୍କା ଲୁଟ୍‌ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଭଙ୍ଗା ହ୍ୟାଣ୍ଡେଲ୍‌କୁ ପୋଲିସ ଜବତ କରିଛି। ସିସିଟିଭି ଫୁଟେଜ୍‌ ଅନୁଧ୍ୟାନ କରାଯାଇଥିଲେ ହେଁ ସେଥିରେ ଦୁର୍ବୃତ୍ତଙ୍କ ଝାପ୍‌ସା ଚେହେରା ଯୋଗୁ ପୋଲିସ ଅଡୁଆରେ ପଡ଼ିଛି। ଅପରପକ୍ଷରେ ହଳଦୀପଦା ଛକ ନିକଟରେ ଥିବା ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନର ସିସିଟିଭି ଫୁଟେଜ୍‌କୁ ମଧ୍ୟ ଯାଞ୍ଚ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର୍‌ ତନାଘନା ଜାରିରହିଛି।