Categories: ବାଣିଜ୍ୟ

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ ବୋଲି ବଜାର ବିଶେଷଜ୍ଞ ଆକଳନ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଥିବା ବେଳେ କମ୍ପାନୀଗୁଡିକ ଶୀଘ୍ର ଟ୍ରାକକୁ ଫେରିବା ନେଇ ମଧ୍ୟ କହି ହେଉ ନାହିଁ। ଏଭଳି ସ୍ଥିତିରେ କମ୍ପାନୀ ଋଣ ନ ଶୁୁଝି ପାରିଲେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ଏହାର ଚାପ ଆହୁରି ବଢିବ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଏନ୍‌ପିଏ ସମସ୍ୟା ସହ ଯୁଝୁଥିବା ଶିଳ୍ପକୁ ନେଇ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଆର୍‌ଟିଆଇ ଦ୍ୱାରା ମଗାଯାଇଥିବା ଏକ ତଥ୍ୟରେ ବ୍ୟାଙ୍କିଙ୍ଗ ଶିଳ୍ପରେ ଏନ୍‌ପିଏ କିଭଳି ବଢୁଛି ତାର ଏକ ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ଗତ ୬ ବର୍ଷରେ ୬ ଗୁଣାରୁ ଅଧିକ ବଢିଛି। ଏହା ୭୩,୧୪୦ କୋଟି ଟଙ୍କା ଛୁଇଁଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କର ଏନ୍‌ପିଏ ୪ ଗୁଣା ବଢି ୩୨,୫୬୧ କୋଟି ଟଙ୍କା ଟପିଥିବା ଜଣାପଡିଛି।
କୋଟାର ସୂଚନା ଅଧିକାର କର୍ମୀ ସୁଜିତ ସ୍ବାମୀଙ୍କୁ ଆରଟିଆଇରେ ମିଳିଥିବା ସୂଚନା ମୁତାବକ, ବ୍ୟାଙ୍କ ଅଫ୍‌ ବରୋଦାର ଏନ୍‌ପିଏ ମାର୍ଚ୍ଚ ୨୦୧୪ରେ ୧୧,୮୭୬ କୋଟି ଟଙ୍କା ରହିଥିଲା। ଏହା ୨୦୧୯ ଡିସେମ୍ବରରେ ୭୩,୧୪୦ କୋଟି ଟଙ୍କାକୁ ବଢିଛି। ଏହି ସମୟରେ ବ୍ୟାଙ୍କର ଏନ୍‌ପିଏ ଖାତା ୨.୦୮ ଲକ୍ଷରୁ ୬.୧୭ ଲକ୍ଷକୁ ବଢିଛି। ସେହିଭଳି ଇଣ୍ଡିଆନ ବ୍ୟାଙ୍କ ଏନ୍‌ପିଏ ୨୦୧୪ ମାର୍ଚ୍ଚ ୩୧ରେ ୮୦୬୮ କୋଟି ଟଙ୍କା ରହିଥିବା ବେଳେ ଏହା ୨୦୨୦ ମାର୍ଚ୍ଚରେ ୩୨,୫୬୧ କୋଟି ଟଙ୍କାକୁ ବଢିଛି। ବ୍ୟାଙ୍କର ଏନ୍‌ପିଏ ଖାତା ୨.୪୮ ଲକ୍ଷରୁ ବଢି ୫.୬୪ ଲକ୍ଷକୁ ବଢିଛି। ଏହି ସମୟରେ ବ୍ୟାଙ୍କ ଅଫ ବରୋଦା ଏସ୍‌ଏମ୍‌ଏସ୍‌ ଆଲର୍ଟରୁ ୧୦୭ କୋଟି ଟଙ୍କା ଆୟ କରିଛି। ଏସ୍‌ବିଆଇ ଏବଂ ପିଏନ୍‌ବିକୁ ଏ ସମ୍ପର୍କିତ ତଥ୍ୟ ମଗାଯାଇଥିବା କୌଣସି ସୂଚନା ମିଳିପାରିନାହିଁ ବୋଲି ସ୍ବାମୀ କହିଛନ୍ତି।

Share